ସାରଜା,ଏଜେନ୍ସି: ୟୁଏଇର ସାରଜା ଠାରେ ଆଜି ଖେଳାଯାଉଥିବା ଟି-୨୦ ବିଶ୍ୱକପ ଗ୍ରୁପ-୧ର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ୪ ଓ୍ବିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକାର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିଛି।
୧୪୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ବିଣ୍ଟନ ଡିକକ୍ ଓ ରେଜା ହେଣ୍ଡରିକ୍ସ ସତର୍କତାର ସହ ଖେଳିବା ଆରମ୍ଭ କରିଥିଲେ। ଉଭୟ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୨୫ରନ ଯୋଗ କରିଥିଲେ। ମାତ୍ର ଡିକକ୍ ୧୨ ରନ କରିଥିବାବେଳେ ହେଣ୍ଡରିକ୍ସ ୧୧ରନ କରିଥିଲେ। ୩ୟ ସ୍ଥାନରେ ଆସିଥିବା ରାସି ଭାନ ଡର ଦୁସେନ ୧୬ରନ କରି ଆଉଟ ହୋଇଥିଲେ। ତେବେ ଅଧିନାୟକ ଟେମ୍ବା ଭାବୁମା ୪୬ ରନ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଶେଷ ଓଭରରେ ଜିତିବାକୁ ଦକ୍ଷିଣ ଆଫ୍ରିକା ୧୬ ରନ ଆବଶ୍ୟକ କରୁଥିବାବେଳେ ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ। ଏହି ମ୍ୟାଚର ଆଉ ଏକ ଆକର୍ଷଣ ଥିଲା ଶ୍ରୀଲଙ୍କା ବୋଲର ଓ୍ବାନିଣ୍ଡୁ ହସରଙ୍ଗାଙ୍କ ହ୍ୟାଟ୍ରିକ୍।
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଶ୍ରୀଲଙ୍କାର ଓପନର ପାଥୁମ ମିଶଙ୍କା ସର୍ବାଧିକ ୭୧ ରନ କରିଥିଲେ। ସେହିପରି ଚରିଥ ଅସଲଙ୍କା ୨୧ରନ କରିଥିଲେ। କିନ୍ତୁ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳର ରନଗତି ଧୀମେଇ ଯାଇଥିଲା। ଫଳରେ ଦଳ ୨୦ ଓଭରରେ ୧୪୨ରନ କରି ଅଲଆଉଟ ହୋଇଯାଇଥିଲା।