ବ୍ରଜରାଜନଗର ଓ ବେଲପାହାଡ଼ ରେଳଷ୍ଟେସନର ଉନ୍ନତୀକରଣ ପାଇଁ ବିଧାୟକଙ୍କ ଦାବିପତ୍ର ପ୍ରଦାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ଓ ବେଲପାହାଡ଼ ରେଳ ଷ୍ଟେସନର ଉନ୍ନତୀକରଣ ତଥା ବିଭିନ୍ନ ଟ୍ରେନର ପୁନଃରହଣୀ ପାଇଁ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ବିଲାସପୁର ଜୋନର ରେଳବାଇ ମ୍ୟାନେଜରଙ୍କୁ ଏକ ୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିଗୁଡ଼ିକୁ ପୂରଣ କରିବା ପାଇଁ ରେଳବାଇ ପଦକ୍ଷେପ ଗ୍ରହଣ ନକଲେ ଆସନ୍ତା ନଭେମ୍ବର ୨୬ ତାରିଖରେ ବ୍ରଜରାଜନଗର ଓ ବେଲପାହାଡ଼ରେ ରେଳରୋକ ଆନ୍ଦୋଳନ କରାଯିବ ବୋଲି ବିଧାୟକ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇର ବିଲାସପୁର ରେଳ ମଣ୍ଡଳ ଅଧୀନରେ ଥିବା ବ୍ରଜରାଜନଗର ଓ ବେଲପାହାଡ଼ ରେଳ ଷ୍ଟେସନ ରେଳବାଇକୁ ବିପୁଳ ପରିମାଣର ରାଜସ୍ୱ ଦେଉଛି। ହେଲେ ଏଠାରେ ଆଖିଦୃଶିଆ ବିକାଶ କାର୍ଯ୍ୟ କରାଯାଉ ନାହିଁ। ଏହାସହ କରୋନା ସମୟରେ ଅନେକ ଟ୍ରେନର ରହଣୀକୁ ମଧ୍ୟ ଏଠାରୁ ବାତିଲ କରାଯାଇଛି। ତେଣୁ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ବ୍ରଜରାଜନଗର ଓ ବେଲପାହାଡ଼ରେ ପ୍ଲାଟଫର୍ମର ଉନ୍ନତୀକରଣ, ଫୁଟ ଓଭରବ୍ରିଜ ନିର୍ମାଣ, ଅପେକ୍ଷା ଗୃହ, ଆଲୋକୀକରଣ, ପାନୀୟ ଜଳ, ଶୌଚାଳୟର ବ୍ୟବସ୍ଥା, ବେଲପାହାଡ଼ ରେଳ ଫାଟକରେ ଓଭରବ୍ରିଜ ନିର୍ମାଣ, ରେଳ ଷ୍ଟେସନକୁ ଯିବା ଲାଗି ଭିନ୍ନକ୍ଷମ ତଥା ବୃଦ୍ଧଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଧାୟକ ଦାବି କରିଛନ୍ତି। ସେହିପରି କୋଭିଡ ପୂର୍ବରୁ ଏହି ୨ ରେଳ ଷ୍ଟେସନରେ ରହୁଥିବା ସମସ୍ତ ରେଳର ରହଣୀ, ବେଲପାହାଡ଼ରେ ସାଉଥ ବିହାର ଟ୍ରେନର ରହଣୀ, ବେଲପାହାଡ଼ରେ ରହଣୀ ସହ ରାଇଗଡ-ଦୁର୍ଗ ଶତାଦ୍ଦୀ ଏକ୍ସପ୍ରେସର ଝାରସୁଗୁଡ଼ା ଯାଏଁ ଚଳାଚଳ, ରାଇଗଡ଼-ବିଲାସପୁର ପେସେଞ୍ଜର ଟ୍ରେନର ଝାରସୁଗୁଡ଼ା ଯାଏଁ ଚଳାଚଳ ଆଦି ଶୀଘ୍ର କରାଯାଉ ବୋଲି ବିଧାୟକ ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି।