ଦୁବାଇ,ଏଜେନ୍ସି: ଟି-ଟୋଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ (ଗ୍ରୁପ-୧)ରେ ଆଜି ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି। ଶ୍ରୀଲଙ୍କା ମନୋବଳ ଦୃଢ ନଥିଲେ ମଧ୍ୟ ସେ ୪ଟି ମ୍ୟାଚ ଜିତି ସାରିଛି। ଆଜିର ମ୍ୟାଚରେ କଡା ମୁକାବିଲା ଦେଖିବାକୁ ମିଳିବ। ଅଷ୍ଟ୍ରେଲିଆକୁ ହରାଇବାକୁ ଶ୍ରୀଲଙ୍କା ଯୋଜନା ପ୍ରସ୍ତୁତ କରିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଚମତ୍କାର ବୋଲିଂ କରିଥିଲା। ହେଲେ ବ୍ୟାଟ୍ସମ୍ୟାନଙ୍କ ଦକ୍ଷତା ଅନୁସାରେ ସେମାନେ ଫେଲ ମାରିଥିଲେ। ଅନେକ ବ୍ୟାଟ୍ସମ୍ୟାନ ଚାପରେ ରହିଥିଲେ। ଯାହାର ଫାଇଦା ଉଠାଉଥିଲା ଅଷ୍ଟ୍ରେଲିଆ। ଏପଟେ ଶ୍ରୀଲଙ୍କା ସ୍ପିନରମାନେ ମଧ୍ୟ ଅଷ୍ଟ୍ରେଲିଆର ମୁଣ୍ଡ ବିନ୍ଧାର କାରଣ ହୋଇପାରନ୍ତି। ବାଂଲାଦେଶ ବିପକ୍ଷରେ ବିଜୟ ହାସଲ କରିବା ପରେ ଫୁଲ ଫର୍ମରେ ଅଛି ଶ୍ରୀଲଙ୍କା। ଦଳର ପ୍ରତ୍ୟେକ ଖେଳାଳି ଫିଟ ଅଛନ୍ତି। ଅଷ୍ଟ୍ରେଲିଆକୁ ହରାଇବାକୁ ଶ୍ରୀଲଙ୍କା ପାଖରେ ଯଥେଷ୍ଟ କ୍ଷମତା ଥିବା ବାରି ହୋଇପଡୁଛି।
ଆଜିର ମ୍ୟାଚରେ ଶ୍ରୀଲଙ୍କାର ଚରିତ ଆସାଲଙ୍କା ଓ ଭାନୁକାଙ୍କ ଉପରେ ନଜର ରହିବ। ବାଂଲାଦେଶ ବିପକ୍ଷରେ ଉଭୟଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣରଙ୍କ ଉପରେ ନଜର ରହିବ। ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଭଲ ପ୍ରଦର୍ଶନ ରହିଛି।