ରାୟଗଡା,ଏନ୍ଏନ୍ଏସ୍: ଧୀରେଧୀରେ ରାୟଗଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ପୁଣି ବଢ଼ିବାରେ ଲାଗିଲାଣି। ଗତ ତିନି ଦିନ ମଧ୍ୟରେ ରାୟଗଡା ସହରର କେବଳ ଡ଼ିଏଫଓ ତଳି ଅଞ୍ଚଳରୁ ଚିହ୍ନଟ ହେଲେଣି ୪୯ ଜଣ କରୋନା ସଂକ୍ରମିତ। ଡିଏଫଓ କଲୋନୀ ନିକଟସ୍ଥ ଝୋଡିଆ ସାହିରୁ ଗତକାଲି ୨୭ ଓ ଦଳିତ ସାହିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଝୋଡିଆ ସାହି ବସ୍ତିରେ ୪୫ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ୨ଟି ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଗୋଟିଏ ବସ୍ତି ଅଞ୍ଚଳରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜିଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲଗାତାର ଆଣ୍ଟିଜେନ୍ ପରୀକ୍ଷା ସାଙ୍ଗକୁ ଚିହ୍ନଟ ପ୍ରକ୍ରିୟା ବ୍ୟାପକ ହେଉଥିଲେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଦି ପାଉଛି।
ବର୍ତ୍ତମାନ ସମଗ୍ର ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ସଂଗରୋଧକୁ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତାକୁ ଯେଗାଇବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଆକ୍ରାନ୍ତ ମାନଙ୍କୁ ଔଷଧ ପ୍ରଦାନ କରିବା ସହ ହୋମ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦେଉଛି। ରାୟଗଡ଼ା ସହର ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ସହର ତଳି ବସ୍ତି ରହିଥିବା ବେଳେ ଏହି ବସ୍ତି ଗୁଡ଼ିକର ଅଧିକାଂଶ ଯୁବକ ଯୁବତୀ ରାଜ୍ୟ ତଥା ରାଜ୍ୟ ବାହାରକୁ ଦାଦାନ ଖଟିବାକୁ ଯାଇଥାନ୍ତି। ତେଣୁ ସହର ତଳି ବସ୍ତି ଗୁଡ଼ିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆନଗଲେ ଆଗାମୀ ଦିନରେ ସ୍ଥିତି ଗମ୍ଭୀର ହେବ।
ସେପଟେ ରାୟଗଡା ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଦି ପାଉଥିବାରୁ ସହରବାସୀଙ୍କ ମନରେ ଛନକା ପସିଛି। ସାମାନ୍ୟ ଲକ୍ଷଣ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବା ସହ ମାସ୍କ ପରିଧାନ ସାଙ୍ଗକୁ ସାମାଜିକ ଦୁରତା ଓ ହାତକୁ ବାରମ୍ବାର ସାନିଟାଇଜ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଆର୍ତ୍ତବନ୍ଧୁ ନାୟକ ଅନୁରୋଧ କରିଛନ୍ତି।