ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାର ଦୁଇ ସହିଦ ଯବାନଙ୍କ ପରିବାରକୁ ସମ୍ବର୍ଦ୍ଧନା

ଦେବଗଡ଼,ଏନ୍ଏନ୍ଏସ୍: ଓଡିଶା ପୁଲିସ ପକ୍ଷରୁ ସହିଦ ଦିବସ ଉପଲକ୍ଷେ ପ୍ରତ୍ୟେକ ସହିଦ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ଦେବଗଡ଼ ଜିଲ୍ଲାର ଦୁଇ ଜଣ ସହିଦ ଯବାନଙ୍କ ପରିବାରକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ଣରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ କଲେଜ ରୋଡ଼ ସ୍ଥିତ ବାସଭବନରେ ରହୁଥିବା ରିଆମାଳ ବ୍ଲକ ନୂଆଡ଼ିହ ପଞ୍ଚାୟତ ଅନ୍ତର୍ଗତ ପୁଡାଡିହ ଗ୍ରାମର ସହିଦ କାର୍ତ୍ତିକେଶ୍ୱର ମହାପାତ୍ରଙ୍କ ବାସଭବନକୁ ଯାଇ ସହିଦ କାର୍ତ୍ତିକେଶ୍ୱରଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ କାର୍ତ୍ତିକେଶ୍ୱରଙ୍କ ଶଯ୍ୟାଶାୟୀ ମା’ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସର ବ୍ୟାଣ୍ଡ ଦେଶାତ୍ମକବୋଧ ୟେ ଦେଶ କି ଧରତୀ… ସଂଗୀତ ପରିବେଷଣ କରିଥିଲେ। ସେହିପରି ଦେବଗଡ଼ ଥାନା ଅନ୍ତର୍ଗତ କଂଢଳ ଗ୍ରାମରେ ରହୁଥିବା ଭାଟସିଂ ଗ୍ରାମର ସହିଦ ଶାନ୍ତନୁ ଧଳଙ୍କ ବାସଭବନକୁ ଯାଇ ସହିଦଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ସହିଦଙ୍କ ପତ୍ନୀଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସହିଦ କାର୍ତ୍ତିକେଶ୍ୱର ମଣିପୁର ଇମ୍ଫାଲ ଏୟାରପୋର୍ଟର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ୧୯୯୫ ମସିହା ମାର୍ଚ୍ଚ ୧୧ ତାରିଖରେ ବୋଡୋ ଉଗ୍ରବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ। ସେହିପରି ଶାନ୍ତନୁ ଧଳ ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨୦୦୮ ମସିହାରେ ସହିଦ ହୋଇଥିଲେ।