ଦୁବାଇ,ଏଜେନ୍ସି: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଖେଳିବା ପୂର୍ବରୁ ଭାରତ ଆଜି ତା’ର ୨ୟ ୱାର୍ମ-ଅପ ମ୍ୟାଚ ଖେଳିବ। ଦୁବାଇସ୍ଥିତ ଆଇସିସି ଏକାଡେମୀର ପଡ଼ିଆରେ ଭାରତୀୟ ସମୟ ଅପରାହ୍ଣ ସାଢ଼େ ୩ଟାରେ ଅଷ୍ଟ୍ରେଲିଆକୁ ଟିମ ଇଣ୍ଡିଆ ମୁକାବିଲା କରିବ। ଭାରତ ନିଜର ପ୍ରଥମ ୱାର୍ମ-ଅପ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା। ସେଥିପାଇଁ ଦ୍ୱିତୀୟ ମୁକାବିଲାକୁ ସାହାସର ସହିତ ମୁକାବିଲା କରିବ। ଅଷ୍ଟ୍ରେଲିଆ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ବିରାଟ ବାହିନୀ ରଣନୀତି ପ୍ରସ୍ତୁତ କରିସାରିଛି।
ଟି-୨୦ ବିଶ୍ବକପ୍ରେ ନିଜର ପ୍ରଥମ ୱାର୍ମ-ଅପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଥିଲା। ଭାରତୀୟ ଟିମ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତକୁ ଇଂଲଣ୍ଡ ୧୮୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଲକ୍ଷ୍ୟକୁ ପୂରା କରିବା ଉଦ୍ଦେଶ୍ୟରେ ଭାରତ ଦ୍ୱିତୀୟ ପାଳି ବ୍ୟାଟିଂ କରିଥିଲା।
କେଏଲ ରାହୁଲ ଓ ଈଶାନ କିଶନ ଭାରତର ପାଳି ଆରମ୍ଭ କରିଥିଲେ। କେଏଲ ରାହୁଲ ୨୪ଟି ବଲ ଖେଳି ୫୧ ରନ୍ ଓ ଈଶନ ୪୬ଟି ବଲ ସାମ୍ନା କରି ୭୦ ରନ୍ କରିଥିଲେ। ମଧ୍ୟବର୍ତ୍ତୀ ସମୟରେ ଭାରତ କିଛି ଅସୁବିଧାର ସାମ୍ନା କରିଥିଲେ ବି ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଟିମକୁ ବିଜୟ ଲକ୍ଷରେ ପହଞ୍ଚାଇଥିଲେ। ଋଷଭ ପନ୍ତ ୧୪ଟି ବଲ ଖେଳି ବ୍ୟକ୍ତିଗତ ଭାବେ ୨୯ ରନ୍ ଯୋଡ଼ିଥିଲେ। ଇଂଲଣ୍ଡ ୨୦ ଓଭରରେ ୫ଟି ୱିକେଟ ହରାଇ ୧୮୮ ରନ୍ କରିଥିଲା।