ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ପୁଲିସ ନିକଟରେ ଆଜି ଜଣେ ଛତିଶଗଡ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ରାହୁଲ ମୁସାକି ଓରଫ ପିଣ୍ଟୁ (୨୪)। ରାହୁଲଙ୍କ ନିଜ ଘର ଛତିଶଗଡ଼ ସୁକୁମା ଜିଲ୍ଲାର କାନ୍ତା ଥାନା ଅନ୍ତର୍ଗତ ଜେଗ୍ରୁଗୁଣ୍ଡା ପଞ୍ଚାୟତ ତଲତ ଗ୍ରାମରେ। ରାହୁଲ ୮ମ ଶ୍ରେଣୀ ପଢୁଥିବା ବେଳେ ମାଓବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ୨୦୧୫ ମସିହାରେ ଲାଲ ବାହିନୀର ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନରେ ଯୋଗଦେଇଥିଲେ। ପରେ ୨୦୧୭ ମସିହାରୁ କେକେବିଏନ ସଂଗଠନର ସଦସ୍ୟ ଭାବେ କନ୍ଧମାଳ ଜିଲ୍ଲାରେ ରହି ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ।
ଗତବର୍ଷ ମାନଙ୍କରେ ଜିଲ୍ଲାରେ ଘଟିଥିବା ଅନେକ ମାଓବାଦୀ ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ପୁଲିସ ଅନୁମାନ କରୁଛି। ଆଜି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରଓ୍ବ।ଲଙ୍କ ନିକଟରେ ଆତ୍ମସମର୍ପଣ କରିଛି ରାହୁଲ। ମାଓବାଦୀଙ୍କ କାର୍ଯ୍ୟକଳାପକୁ ଜନବିରୋଧୀ ବୋଲି ଆତ୍ମସମର୍ପଣ କରିବା ପରେ କହିଛନ୍ତି ରାହୁଲ। ସେମାନେ ବିକାଶକୁ ବିରୋଧ କରିବା ସହିତ ନିଜ ସ୍ୱାର୍ଥ ପାଇଁ ନିରୀହ ଆଦିବାସୀ ମାନଙ୍କୁ ବ୍ୟବହାର କରୁଛନ୍ତି। ପୁଲିସ ଇନଫରମର କହି ଅଯଥାରେ ସେମାନଙ୍କୁ ହତ୍ୟା କରାଯାଉଛି। ମାଓ ସଂଗଠନର ଏଭଳି କାର୍ଯ୍ୟ ପ୍ରତି ବିମୁଖ ହୋଇ ସେ ଲାଲବାହିନୀ ତ୍ୟାଗ କରିଥିବା ପ୍ରକାଶ କରିଛନ୍ତି।
ଏଥିସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ଓ ମୁଖ୍ୟସ୍ରୋତକୁ ଆସୁଥିବା ମାଓବାଦୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜରେ ଆକର୍ଷିତ ହୋଇ ସେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି। ସରକାରଙ୍କ ଯୋଜନା ଅନୁଯାୟୀ ତାଙ୍କୁ ଶିକ୍ଷାର ସୁବିଧା ସହ ଘର ଓ ଧନ୍ଦାମୂଳକ ତାଲିମ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଏ ଅବସରରେ ପ୍ରକାଶ କରିଛନ୍ତି କନ୍ଧମାଳ ଏସପି। ମୁଖମନ୍ତ୍ରୀ ଓ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଆହ୍ୱାନ ଅନୁଯାୟୀ ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିଆସିବା ପାଇଁ ପରାମର୍ଶ ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରୱାଲ।