କଟକ,ଏନ୍ଏନ୍ଏସ୍: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣାରେ ଥିବା ଏକ ହଷ୍ଟେଲରୁ ଟାଟା ପାଓ୍ୱାର ବିଦ୍ୟୁତ୍ ସଂଯୋଗ କାଟିବା ଘଟଣା। ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଓଡିଶା ମାନବିକ ଅଧିକାର କମିଶନ। ଏହା ଦ୍ୱାରା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ମାନବିକ ଅଧିକାର କ୍ଷୂର୍ଣ୍ଣ ହୋଇଛି ଦର୍ଶାଇ ତୁରନ୍ତ ଅନ୍ୟାଦେଶ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରିବାକୁ କମିସନ ଚନ୍ଦ୍ରଶେଖରପୁର ଟିପିସିଓଡିଏଲର ଏକଜ୍ୟୁକୁଟିଭ୍ ଇଂଜିନିୟର ଓ ଏସଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଡମଣାରେ ଥିବା ଏକ ବିଲ୍ଡିଂର ମାଲିକ ଭଡା ଦେବାରେ ବିଳମ୍ବ କରୁଥିବାରୁ ବିଦ୍ୟୁତ ବିଭାଗ ସେଠାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲା। ସେଠାରେ ଏକ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଥିବାରୁ ସେମାନଙ୍କ ପାଠପଢା ଓ ରହିବାରେ ସମସ୍ୟା ଦେଖାଦେଇଥିଲା। ତେଣୁ ସେମାନେ ମାନବିକ ଅଧିକାର କମିସନଙ୍କ ନିକଟରେ ପିଟିସନ ଦାୟର କରିଥିଲେ। ସେମାନଙ୍କ ପକ୍ଷରୁ ଆଡଭୋକେଟ ନିଶିକାନ୍ତ ମିଶ୍ର ଏହି ମାମଲା ପରିଚାଳନା କରିଥିଲେ। ସେ କମିସନଙ୍କ ନିକଟରେ ଯୁକ୍ତି ଦର୍ଶାଇଥିଲେ ଯେ ବିଲ୍ଡିଂରେ ହଷ୍ଟେଲ ଚାଲୁଥିବାରୁ ଏଠାରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମାନବିକ ଅଧିକାର ଉଲଂଘନ ହେଉଛି।
ତେଣୁ ସେଠାକୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ହେବା ଦରକାର। କମିସନ ଏହାକୁ ଗ୍ରହଣ କରି ଚନ୍ଦ୍ରଶେଖରପୁର ଟିପିସିଓଡିଏଲର ଏକଜ୍ୟୁକୁଟିଭ୍ ଇଂଜିନିୟର ଓ ଏସଡିଓଙ୍କୁ ବିଦ୍ୟୁତ୍ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଲ୍ଡିଂର ମାଲିକ ପୁରେନ୍ଦ୍ର ସାହୁଙ୍କୁ ମଧ୍ୟ ଚନ୍ଦ୍ରଶେଖରପୁର ଥାନା ଆଇଆଇସିଙ୍କ ଜରିଆରେ ନୋଟିସ ଜାରି ହୋଇଛି। ଆସନ୍ତାକାଲି (ମଙ୍ଗଳବାର) ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ଏଥିରେ ବିଲ୍ଡିଂ ମାଲିକ, ଟିପିସିଓଡିଏଲର ଏକଜ୍ୟୁକୁଟିଭ୍ ଇଂଜିନିୟର ଓ ଏସଡିଓଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି।