୭ ବର୍ଷ ପରେ ମିଳିଲା ନ୍ୟାୟ: ଦୁଷ୍କର୍ମ ପରେ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଜୋରିମାନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ୭ ବର୍ଷ ପରେ ମୃତ ନାବାଳିକାଙ୍କୁ ମିଳିଲା ନ୍ୟାୟ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଶୁଣାଣୀ କରି ଆଜି ସ୍ୱତନ୍ତ୍ର ଏଡିଜେ ପକସୋ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧ଲକ୍ଷ ଟଙ୍କା ଜୋରିମାନାର ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ଲଇକେରା ଥାନା ଅନ୍ତର୍ଗତ ସୁଶାନ୍ତ ବୁଦଲା(୩୫) ବୋଲି ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ମୁତାବକ, ନାବାଳିକା ଜଣକ କନ୍ଦୁଡ଼ିହି ନର୍ସରୀ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ସୁଶାନ୍ତ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ଏହାକୁ ନାବାଳିକା ଜଣକ ବିରୋଧ କରିବା ସହ ପରିବାର ଲୋକଙ୍କୁ ଜଣାଇବେ ବୋଲି କହିବାରୁ ସୁଶାନ୍ତ ନାବଳିକା ଧରିଥିବା ଓଢ଼ଣୀରେ ବେକକୁ ଚିପି ଦେଇ ହତ୍ୟା କରିଥିଲା। ଏନେଇ ନାବଳିକାଙ୍କ ପରିବାର ଲୋକେ ଲଇକେରା ଥାନାରେ ୨୦୧୪ ମସିହା ଅକ୍ଟୋବର ୩ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଧାରା ୩୭୬(୨)(ଆଇ), ୩୦୨, ୩୨୩, ୩୪୧, ୬ ପକସୋ ଆକ୍ଟରେ ଏକ ମାମାଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ସ୍ୱତନ୍ତ୍ର ଏଡିଜେ ପକସୋ ଜଜ୍ ମଦନ ଲାଲ କେଡ଼ିଆ ଏହି ମାମାଲାର ଶୁଣାଣି କରି ୩୬ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଥିଲେ। ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ଭାବରେ ପୃଥ୍ୱୀରାଜ ସିଂ ଦେଓ ମାମଲା ପରିଚାଳନା କରୁଥିବାବେଳେ ଅଭିଯୁକ୍ତଙ୍କ ଓକିଲ ଭାବେ ଡାକେଶ୍ୱର ପାଣ୍ଡେ ଲଢ଼ୁଥିଲେ।