ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଅଖିଳ ଭାରତୀୟ ଯୁବ ସଂଘ ପକ୍ଷରୁ ସ୍ଥାନୀୟ ନିଯୁକ୍ତି ଦାବିରେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଝାରସୁଗୁଡ଼ା ଏକ ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା ହୋଇଥିଲେ ହେଁ ସ୍ଥାନୀୟ ନିଯୁକ୍ତି ଅଭାବରୁ ଏଠାକାର ଯୁବକ ଯୁବତୀ ବେରୋଜଗାର ହୋଇ ରହୁଛନ୍ତି। ତେଣୁ ଯଥାଶୀଘ୍ର ଏହି ଯୁବକ ଯୁବତୀଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପରିଷଦ କାର୍ଯ୍ୟାଳୟରେ ଗୋଟିଏ ଲେଖାଁଏ ଏମ୍ପୋୟମେଣ୍ଟ ଏକ୍ସଚେଞ୍ଜ ପଞ୍ଜିକରଣ କାଉଣ୍ଟର ଖୋଲି ଜିଲ୍ଲାର ସମସ୍ତ ବେକାର ଯୁବକ ଯୁବତୀଙ୍କ ରେଜିଷ୍ଟ୍ରେସନ କରାଯାଉ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପରେ ସେମାନଙ୍କୁ ଜିଲ୍ଲାର ବିଭିନ୍ନ ଖଣି ଓ କଳକାରଖାନାରେ ଚାକିରି ପ୍ରଦାନ କରାଯାଉ। ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନ ଏବଂ ଖଣି ଗୁଡ଼ିକରେ ସ୍ଥାନୀୟ ନିଯୁକ୍ତି ଦିଆଯାଉ ନଥିବାରୁ ଝାରସୁଗୁଡ଼ାର ଅଧିକାଂଶ ଯୁବକ ଯୁବତୀ ବେରୋଜଗାର ହୋଇ ବୁଲୁଛନ୍ତି। ଅନ୍ୟପଟେ ବାହାର ରାଜ୍ୟ ଓ ଜିଲ୍ଲାର ଯୁବକ ଯୁବତୀଙ୍କୁ ଏଠାରେ ନିଯୁକ୍ତି ପ୍ରଦାନ କରାଯାଉଛି। ଯାହା ଜିଲ୍ଲାରେ ଗଢ଼ି ଉଠିଥିବା ଖଣିଖାଦାନର ଧୂଲିଧୁଆଁ ଖାଉଥିବା ତଥା ଏହି ଖଣି ଓ ଶିଳ୍ପ ପାଇଁ ନିଜର ଜମିବାଡ଼ି ହରାଇ ସର୍ବସ୍ୱାନ୍ତ ହୋଇଥିବା ଲୋକଙ୍କ ପ୍ରତି ଅନ୍ୟାୟ। ତେଣୁ ଆରପିଡିଏସି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଗ୍ରାଧୀକାର ଭିତ୍ତିରେ ପ୍ରତ୍ୟେକ ଖଣିଖାଦାନ ଏବଂ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ଦିଆଯାଉ ନଚେତ ଆଗାମୀ ଦିନରେ ଅଖିଳ ଭାରତୀୟ ଯୁବ ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି। ଏହି ସମୟରେ ଶ୍ରମିକ ନେତା ରମେଶ ତ୍ରିପାଠୀ, ସଂଘର ସଭାପତି ରମାକାନ୍ତ ସା, ସାଧାରଣ ସମ୍ପାଦକ ମାନସ ପ୍ରଧାନ, ରୁଦ୍ରପ୍ରତାପ ବଣିଆଁ, ଲକ୍ଷଣ ପାତ୍ର ଜାନେ ସେଠ ପ୍ରମୁଖଙ୍କ ସହ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ।