ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଉରୀରେ ସେନାକୁ ବଡ଼ ସଫଳତା ମିଳିଛି। ଭାରତୀୟ ସେନା ଗତ ୭ ଦିନରେ ୪ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ଏଥିସହିତ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଜୀବିତ ଧରବାରେ ସଫଳ ହୋଇଛି। ସେନା ପକ୍ଷରୁ ଉକ୍ତ ଆତଙ୍କବାଦୀର ଏକ ଫଟୋ ମିଡିଆରେ ସେୟାର କରାଯାଇଛି। ପାକିସ୍ତାନର ଓକାରା ଜିଲ୍ଲାର ଦିପାଲପୁର ଗ୍ରାମରେ ରହୁଥିବା ଆତଙ୍କବାଦୀ ଜଣକ ହେଉଛି ଅଲୀ ବାବର ପାତ୍ରା। ସେ ୨୦୧୯ରେ ୩ ସପ୍ତାହ ପାଇଁ ଆତଙ୍କବାଦୀ କ୍ୟାମ୍ପରୁ ପ୍ରଶିକ୍ଷଣ ନେଇଛି। ଅଲୀ ବାବର ଏବେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈୟବାର ସଦସ୍ୟ। ଉରୀ ଭଳି ଏକ ବଡ଼ ଆତଙ୍କୀବାଦୀ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀମାନେ ଏଲଓସିରେ ଅନୁପ୍ରବେଶ କରିଥିଲେ।
ମେଜର ଜେନେରାଲ ବୀରେନ୍ଦ୍ର ବତ୍ସ କହିଛନ୍ତି ଯେ, ପାକିସ୍ତାନର ସହଯୋଗ ବିନା ଏମିତି ଅନୁପ୍ରବେଶ ସହଜ ନୁହେଁ। ଏହି ଆତଙ୍କବାଦୀଙ୍କ ବିରୋଧରେ ୯ଦିନ ହେବ ଅପରେସନ ଚାଲିଥିଲା। ସେପ୍ଟେମ୍ବର ୧୮ରେ ଯେତେବେଳେ ଆତଙ୍କବାଦୀମାନେ ମାନେ ଏଲଓସିରେ ଅନୁପ୍ରବେଶ ଆରମ୍ଭ କରିଥିଲେ ସେତେବେଳେ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଯାଇଥିଲା। ମୋଟ ୬ଜଣ ଆତଙ୍କବାଦୀ ଥିବାବେଳେ ୪ଜଣ ପାକିସ୍ତାନ ଫେରିଯାଇଥିଲେ। ଅନ୍ୟ ୨ଜଣଙ୍କ ମଧ୍ୟରୁ ସେପ୍ଟେମ୍ବର ୨୫ରେ ଜଣେ ନାଳରେ ଲୁଚି ଯାଇଥିବାବେଳେ ଆଉ ଜଣେ ଆତ୍ମସର୍ପଣ ପାଇଁ ହାତ ଯୋଡ଼ିଥିଲା।