- ଭୁବନେଶ୍ୱର: ଚାନ୍ଦିପୁର ଡିଆରଡିଓରୁ ଗୁପ୍ତ ତଥ୍ୟ ହାସଲ୍ କରିଥିବା ରହସ୍ୟମୟୀ ମହିଳାଙ୍କ ବିଷୟରେ ସାମ୍ନାକୁ ଆସିଲା ନୂଆ ସୂଚନା। କ୍ରାଇମବ୍ରାଞ୍ଚ ରହସ୍ୟମୟୀ ମହିଳାଙ୍କ ବିଷୟରେ ଏହି ସୂଚନା ଦେଇଛି। କ୍ରାଇମବ୍ରାଞ୍ଚର କହିବା ଅନୁଯାୟୀ, ଏହି ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରି ରଖିଥିଲେ। ତା’ ପୁଣି ୮ ମାସ ଧରି। ଆଉ ଏହି ମୋଇବାଲ୍ ଜରିଆରେ ସେ ଚାନ୍ଦିପୁର ଡିଆରଡିଓରୁ ଗୁପ୍ତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତଙ୍କ ଲିଙ୍କରେ ଥିବା ଲୋକଙ୍କ ସହ ଯୋଗାଯୋଗ ରଖିଥିଲେ।
କ୍ରାଇମବ୍ରାଞ୍ଚ ଆହୁରି କହିଛି ଯେ, ଅଭିଯୁକ୍ତଙ୍କ ଲିଙ୍କରେ ଯେଉଁମାନେ ଥିଲେ, ସେମାନେ ସେହି ରହସ୍ୟମୟୀ ମହିଳାଙ୍କ ସହ କଥା ହେବା ପାଇଁ ନୂଆ ସିମ୍ କିଣିଥିଲେ। ମହିଳା ଜଣଙ୍କ ଅଭିଯୁକ୍ତ ସଚିନ କୁମାର ଛତ୍ତାଙ୍କ ଜରିଆରେ ଅଧିକାରୀଙ୍କ ଗତିବିଧି ସମ୍ପର୍କରେ ଜାଣୁଥିଲେ। ଆଉ ଏସବୁ କିଛି ରହସ୍ୟମୟୀ ମହିଳା ଜଣଙ୍କ ବିଦେଶରେ ରହି ଅପରେଟ୍ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି।
ସେ କହିଥିଲେ ଯେ ଡିଆରଡିଓର ଗୁପ୍ତ ତଥ୍ୟ ହାସଲ ପାଇଁ ରହସ୍ୟମୟୀ ମହିଳା ସୋସିଆଲ ମିଡିଆରେ ୭ଟି ଆକାଉଣ୍ଟ ଖୋଲିଥିଲେ। ସେଥିରେ ମହିଳା ଜଣଙ୍କ ଅଲଗା ଅଲଗା ଫଟୋର ଡିପି ଦେଇଥିଲା। ସେହି ଆକାଉଣ୍ଟରେ ରହସ୍ୟମୟୀ ମହିଳା ଜଣଙ୍କ ଆଇଟିଆର କର୍ମଚାରୀ ଓ ୪ ଠିକା କର୍ମଚାରୀଙ୍କ ସହିତ କଥା ହେଉଥିଲେ। ଏପରିକି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ମହିଳା ଜଣଙ୍କ ବିବାହ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁରସ୍ଥିତ ଘରକୁ ଆସିବାକୁ ଚାହୁଁଥିଲେ। ସେହିପରି ରହସ୍ୟମୟୀ ମହିଳା ଜଣଙ୍କ ସେମାନଙ୍କ ସହିତ ଭିଡିଓ କଲରେ କଥା ହୋଇଥିଲେ। ସେ ହିନ୍ଦୀ ଭାଷାରେ କଥା ହେଉଥିଲେ। ମହିଳା ଜଣଙ୍କ ଯେଉଁ ଫୋନ୍ ନମ୍ବର ବ୍ୟବହାର କରୁଥିଲେ, ତାହା ସେ ୟୁକେର ଥିଲା। ଏବେ ସୁଦ୍ଧା ରହସ୍ୟମୟୀ ମହିଳାଙ୍କ ପ୍ରକୃତ ପରିଚୟ ଜଣାପଡ଼ିନାହିଁ। ସେ ଏବେ କେଉଁଠି ଅଛନ୍ତି, ତା’ଉପରେ ତର୍ଜମା ଚାଲିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଥିଲା।
ସୂଚନାଯୋଗ୍ୟ, ଡିଆରଡିଓର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା। ପଚରାଉଚରା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଆଇଟିଆରର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ୍ ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ। ମାମଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆରଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ଚୁପ୍ତ ତଥ୍ୟ ଚୋରି ଅଭିଯୁକ୍ତରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।