ପିପିଲିରେ ସରିଲା ପ୍ରଚାର, ଗୁରୁବାର ୩୪୮ ବୁଥରେ ଭୋଟ ଗ୍ରହଣ

  • ଭୁବନେଶ୍ୱର: ପ୍ରାୟ ୩ଥର ସ୍ଥଗିତ ରହିବା ପରେ ଆସନ୍ତା ୩୦ ତାରିଖ ଗୁରୁବାର ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ବନ୍ଦ କରିଥିବାବେଳେ ଆସନ୍ତା ୩୦ ତାରିଖରେ ପିପିଲି ନିର୍ବାଚନମଣ୍ଡଳୀର ମୋଟ ୩୪୮ଟି ବୁଥରେ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ବୋଲି ଜଣାପଡ଼ିଛି।
  • ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ମଇଦାନରେ ମୋଟ ୧୦ ଜଣ ପ୍ରାର୍ଥୀ ରହିଥିଲେ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ପ୍ରକାରର ଏକଜିଟ୍ ପୋଲ ଉପରେ ନିର୍ବାଚନ କମିଶନ କଟକଣା ଜାରି ରହିଛନ୍ତି। କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜବ୍ୟୁରୋ, ରେଡିଓ ଓ ଟିଭି ଚ୍ୟାନେଲ ଭୋଟ ଫଳାଫଳର ପୂର୍ବାନୁମାନ ପ୍ରକାଶ କିମ୍ବା ପ୍ରସାରଣ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
  • ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନ ପାଇଁ ମୋଟ ୩୪୮ ବୁଥରେ ଭୋଟଗ୍ରହଣ କରାଯିବ। ଏହି ବୁଥ ମଧ୍ୟରୁ ପ୍ରାୟ ୧୦୨ଟି ବୁଥକୁ ଅତିସମ୍ବେଦନଶୀଳ ଘୋଷଣା କରାଯାଇ ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋଭିଡ୍ ଗାଇଡଲାଇନକୁ ପାଳନ କରି ଭୋଟ ଗ୍ରହଣ କରାଯିବ। ସାନିଟାଇଜର, ଥର୍ମାଲ ସ୍କ୍ରିନିଂ ଆଦି ବ୍ୟବସ୍ଥା ପ୍ରତ୍ୟେକ ବୁଥରେ କରାଯିବ। ଏଥିପାଇଁ ମୋଟ ୧୭୪୦ଜଣ ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ୩୪୦ ଜଣଙ୍କୁ ରିଜର୍ଭ ରଖାଯାଇଛି। ମୋଟ ୨.୨୯ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ବୋଲି ସୂଚନା ମିଳିଛି।
  • ଭୋଟ ଗ୍ରହଣ ଗୁରୁବାର ହେବାକୁ ଥିବାବେଳେ ପିପିଲିରେ ଡେରା ପକାଇଥିବା ନିର୍ବାଚନମଣ୍ଡଳୀ ବାହାରର ନେତାମାନଙ୍କୁ ସ୍ଥାନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
  • ସୂଚନାଯୋଗ୍ୟ, ବିଜେଡି ପକ୍ଷରୁ ୧୦ରୁ ଅଧିକ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତାମାନେ ପ୍ରଚାରର ମଙ୍ଗ ଧରିଥିବାବେଳେ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଗୋଟିଏ ଦିନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ସେହିପରି କଂଗ୍ରେସ ପକ୍ଷରୁ ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ। ପ୍ରଥମଥର ପାଇଁ ଏହି ଉପନିର୍ବାଚନରେ ବିଜେଡି ନିଜର ଷ୍ଟାର ପ୍ରଚାରକ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ନାହିଁ।