୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ 

କୋରାପୁଟ,ଏନ୍ଏନ୍ଏସ୍: ମାଛକୁଣ୍ଡ ପୁଲିସ ସଗର ଛକରୁ ୨ଟି କାରରୁ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରାଯାଇଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ଶ୍ଲୋକ ଶ୍ରୀବାସ୍ତବ, ସନ୍ଦୀପ ଠାକୁର, ରାଜେନ୍ଦ୍ର ଠାକୁର ଓ ଓମ୍ ଶର୍ମା। ଆନ୍ଧ୍ରପ୍ରଦେଶର ପଡ଼େରୁ ଅଞ୍ଚଳରୁ ୨ଟି କାରରେ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ନନ୍ଦପୁର ଏସଡିପିଓ  ପାଇଥିଲେ। ଏସଡିପିଓଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ଥାନାଧିକାରୀ ପ୍ରଫୁଲ୍ଲ ଲାକ୍ରା, ଲମତାପୁଟ ଫାଣ୍ଡି ସବଇନ୍ସପେକ୍ଟର ଦିଲ୍ଲୀପ ପ୍ରଧାନ ଓ ଅନ୍ୟମାନେ  ସଗର ଛକରେ  ନାକାବନ୍ଦୀ କରିଥିଲେ। ଗଞ୍ଜେଇ  ନେଇ ଯାଉଥିବା  ଉକ୍ତ କାର୍ ୨ଟି ଆସିବା ମାତ୍ରେ ପୁଲିସ୍ ଟିମ୍ ଗାଡ଼ି ଅଟକାଇ ଯାଞ୍ଚ କରିବା ବେଳକୁ ଗାଡ଼ିରୁ ଜରି ଅଖାରେ  ଭରି ହୋଇଥିବା  ୨୧୬  କିଲୋଗ୍ରାମ୍  ଗଞ୍ଜେଇ  ମିଳିଥିଲା। ପୁଲିସ୍ ଟିମ୍  କାର ସହ ଗଞ୍ଜେଇ, ନଗଦ ୪୧୩୦ ଟଙ୍କା, ୭ଟି ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ କାଗଜପତ୍ର  ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା  ହେବ ବୋଲି  ଜଣାପଡ଼ିଛି। ପରେ ମାଛକୁଣ୍ଡ ଥାନାରେ ଏନଡିପିଏସ୍ ଆକ୍ଟ୍ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନନ୍ଦପୁର ଏସଡିପିଓ  ଶ୍ରୀ ମହାପାତ୍ର  ସୂଚନା ଦେଇଛନ୍ତି।