ବେଆଇନ ବନ୍ଧୁକ ଜବତ, ୫ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମ ନିକଟସ୍ଥ ତାଲବିଲା ଜଙ୍ଗଲ ରାସ୍ତା କଡରୁ ବେଆଇନ ବନ୍ଧୁକ ସହ ୫ ଜଣ ବ୍ୟକ୍ତିଙ୍କୁ ବାରକୋଟ ଥାନା ପୁଲିସ ଗିରଫ କରିଛି। ଆଜି ମଧ୍ୟାହ୍ନରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜ କିଶୋର ପାଇକରାୟ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ବେଆଇନ ବନ୍ଧୁକ ଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ତୀକ୍ଷଣ ନଜର ରଖିଥିଲେ।

ଗତକାଲି ଉକ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ସମୟରେ ମର୍ହା ଗ୍ରାମ ନିକଟସ୍ଥ ତାଲବିଲା ଜଙ୍ଗଲ ରାସ୍ତା କଡରେ ୫ ଜଣ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ପୁଲିସ ସେମାନଙ୍କୁ ପଚରାଉଚୁରା କରିବା ସହ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସମେତ ୨ଟି ଜୀବନ୍ତ ବୋମା, ବୋମା ପ୍ରସ୍ତୁତ ସାମଗ୍ରୀ, ଧନୁତୀର, ହରିଣ, ସିଂଘ, ହାତୀ କଳ ଦାନ୍ତ ଓ ୩୬୦ଟି ମୟୂର ପୁଚ୍ଛ ଜବତ କରିବା ସହ ମର୍ହା ଗ୍ରାମର ସୁରେଶ ଶବର(୫୬), ରିଆମାଳ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମର ହେମନ୍ତ କିସାନ(୪୦) ଓ ବେଣୁଧର କିସାନ(୩୨), ତେନ୍ତଲାବାହାଲ ଗ୍ରାମର ରେବତୀ ମୋହନ ମୁଣ୍ଡା(୩୪) ଓ ଭାଲିଆଡିହି ଗ୍ରାମର ଲୋକନାଥ(୫୦)ଙ୍କୁ ଗିରଫ କରିଛି।

ଏମାନଙ୍କର କୌଣସି ଅସାମାଜିକ ସଂଗଠନ କିମ୍ବା ବେଆଇନ ଜନ୍ତୁ ଶିକାର ବା କୌଣସି ମାଓ ସଂଗଠନ ସହ ସଂପୃକ୍ତିର ଦିଗକୁ ନେଇ ଘଟଣାର ଅଧିକ ତଦନ୍ତ ହେଉଥିବା ଏସପି ଶ୍ରୀ ପାଇକରାୟ ପ୍ରକାଶ କରିଛନ୍ତି। ସେହିପରି ଅଭିଯୁକ୍ତ ସୁରେଶ ଶବର ନାମରେ ପୂର୍ବରୁ ବାରକୋଟ ଥାନା ୩ଟି ଓ ବାରକୋଟ ଫରେଷ୍ଟ ରେଞ୍ଜରେ ୨ଟି ମାମଲା ରହିଥିବା ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।