ଏସଏଲଏନ୍ ଏମସିଏଚରେ ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ଛାତିରୁ ବାହାରିଲା ୧୫ କିଲୋ ଟ୍ୟୁମର

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଜୟପୁର ବ୍ଲକ ଅନ୍ତର୍ଗତ ପଟ୍ଟନାୟକଗୁଡ଼ାର ମୋତି ମୁଦୁଲିଙ୍କ ଛାତିରୁ ୧୫କିଲୋ ଓଜନର ଟ୍ୟୁମର ବାହାର କରାଯାଇଥିବା ଜଣାପଡ଼ିଛି। ୨ ବର୍ଷ ପୂର୍ବେ ମୋତି ମୁଦୁଲିଙ୍କ ସ୍ତନରେ ଏକ ବଥ ବାହାରିଥିଲା ଏବଂ ଚିକିତ୍ସା ନିମନ୍ତେ ବ୍ରହ୍ମପୁର କିମ୍ବା କଟକ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଅର୍ଥ ଅଭାବ ଯୋଗୁ ସେ ବାହାରକୁ ଯାଇପାରି ନଥିଲେ। ଦିନକୁଦିନ ବଥଟି ବଡ଼ ହୋଇ ଶରୀର ଯନ୍ତ୍ରଣା ବଢ଼ି ଯାଇଥିଲା। ‘ସାହାଯ୍ୟ ଦି ହେଲ୍ପିଙ୍ଗ ହ୍ୟାଣ୍ଡର’ କର୍ମକର୍ତ୍ତାମାନେ ଉକ୍ତ ଗ୍ରାମକୁ ଯାଇଥିବା ସମୟରେ ଲୋକମାନେ ଉକ୍ତ ମହିଳାଙ୍କ ବିଷୟରେ ସୂଚନା ଦେଇଥିଲେ। ପରେ କର୍ମକର୍ତ୍ତାମାନେ ସହଯୋଗ କରିବା ପାଇଁ ଆଗଭର ହୋଇଥିଲେ। ଉକ୍ତ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଜୟପୁର ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସସ୍ମିତା ଦାସଙ୍କ ସହ ଆଲୋଚନା କରିଥିଲେ। କୋରାପୁଟ ହସ୍ପିଟାଲର ଡାକ୍ତର ଆଇ.ଗୋପାଳ ରାଓଙ୍କ ସହ ଡାକ୍ତର ସସ୍ମିତା ଦାସ କଥାବାର୍ତ୍ତା ହେବା ପରେ ମୋତି ମୁଦୁଲିଙ୍କୁ କୋରାପୁଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୋତି ମୁଦୁଲିଙ୍କୁ ଏବି ପଜିଟିଭ ୩ ୟୁନିଟ ରକ୍ତ ଦିଆଯାଇ ଜୟପୁର ହସ୍ପିଟାଲରୁ ଅପରେସନ କିଟ ଆସିବା ପରେ  ଡାକ୍ତର ଆଇ.ଗୋପାଲ ରାଓ ଅପରେସନ କରି ୧୫ କେଜି ଟ୍ୟୁମର ବାହାର କରିଥିଲେ। ଅପରେସନ ପରେ ମୋତି ସୁସ୍ଥ ଥିବା ଜଣାପଡ଼ିଛି। ଏହି ସମୟରେ ଫାଉଣ୍ଡେସନର କାର୍ତ୍ତିକ ରାଉତ, ପବିତ୍ର ପାତ୍ର, ସ୍ମିତା ମାଝୀ ଓ ସିମାଞ୍ଚଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୋତି ମୁଦୁଲିଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ ପ୍ରତିଶ୍ରୁତି ଦେଇଥିବା କାର୍ତ୍ତିକ ରାଉତ ପ୍ରକାଶ କରିଛନ୍ତି।