କେନ୍ଦ୍ର ପକ୍ଷରୁ ଉଚିତ ସମୟରେ ସାର ଯୋଗାଇବା ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚିତ ସମୟରେ ରାସାୟାନିକ ସାର ଯୋଗାଣ ଦାବିରେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି। ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଚଳିତ ବର୍ଷ ସାର ଯୋଗାଣରେ କେନ୍ଦ୍ର ସରକାରଙ୍କ ବ୍ୟାପକ ଅବହେଳା କରିଥିବାରୁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ଓଡ଼ିଶାରେ ଖରିଫ ଋତୁରେ ୬୧ ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଫସଲ କରାଯାଇଛି। ଆଉ ୧ଲକ୍ଷ ୫୦ ହଜାର ହେକ୍ଟର ଜମିରେ କପା ଓ ପନିପରିବା ଗଣ୍ଠ ପାଇଁ ଫସଲ ବିବିଧିକରଣ କାର୍ଯ୍ୟକ୍ରମ(ସିଡ଼ିପି) କରାଯାଇଛି। ଫସଲ ଅଭିବୃଦ୍ଧି ପାଇଁ ଖରିଫ ଋତୁରେ ଜୁଲାଇ ମଧ୍ୟ ଭାଗରୁ ସେପ୍େଟମ୍ବର ମାସ ଶେଷ ହେଉଛି ସାର ପ୍ରୟୋଗର ପ୍ରକୃଷ୍ଟ ସମୟ। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ସାର ମନ୍ତ୍ରଣାଳୟ ଖରିଫ ଋତୁ ପାଇଁ ରାଜ୍ୟକୁ ୪ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ୟୁରିଆ, ୨ଲକ୍ଷ ମେଟ୍ରିକ ଟନ୍ ଡିଏପି, ୧ଲକ୍ଷ ମେଟ୍ରିକ ଟନ୍ ଏମଓପି ଓ ୨ଲକ୍ଷ ଟନ୍ କମ୍ପେ୍ଲକ୍ସ ସାର ଏଗ୍ରିଡ ସପ୍ଲାଏ ପ୍ଲାନ ଅନୁସାରେ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହି ମୁତାବକ ମାସିକ ସପ୍ଲାଏ ପ୍ଲାନ୍ ଅନୁଯାୟୀ ବର୍ତ୍ତମାନ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟକୁ ୩ ଲକ୍ଷ ୧୦ ହଜାର ମେଟ୍ରିକ ଟନ୍ ୟୁରିଆ, ୧ଲକ୍ଷ ୮୫ହଜାର ମେଟ୍ରିକ ଟନ୍ ଡିଏପି, ୮୫ ହଜାର ମେଟ୍ରିକ ଟନ୍ ଏମଓସି ଓ ୧ଲକ୍ଷ ୮୨ ହଜାର ମେଟ୍ରିକ ଟନ୍ କମ୍ପେ୍ଲକ୍ସ ସାର ଯୋଗାଇ ଦେବା କଥା  ମାତ୍ର ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କେବଳ ୬ ଲକ୍ଷ ୧୨ ହଜାର ମେଟ୍ରିକ ଟନ୍ ୟୁରିଆ, ୧ଲକ୍ଷ ୪୦ହଜାର ମେଟ୍ରିକ ଟନ ଡିଏପି, ୫୦ ହଜାର ମେଟ୍ରିକ ଟନ ଏମଓପି ଓ ୧ଲକ୍ଷ ୫୦ହଜାର ମେଟ୍ରିକ ଟନ୍ କମ୍ପେ୍ଲକ୍ସ ସାର ମିଳିଛି। ଓଡ଼ିଶାକୁ ଆବଶ୍ୟକ ଥିବା ସାରଠାରୁ ୟୁରିଆ ୯୩ହଜାର ମେଟ୍ରିକ ଟନ୍, ଡିଏପି, ୪୫ କାର ମେଟ୍ରିକ ଟନ୍,ଏମଓପି ୩୫ ହଜାର ମେଟ୍ରିକ ଟନ୍ ଓ କମ୍ପେ୍ଲକ୍ସର ୩୨ ହଜାର ମେଟ୍ରିକ ଟନ୍ କମ ମିଳିଛି। ଫଳରେ ସମସ୍ତ ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ବଣ୍ଟନ କରାଯାଇ ପାରୁନାହିଁ । ବର୍ତ୍ତମାନ ବିଭିନ୍ନ ଖରିଫ ଫସଲରେ ସାର ପ୍ରୟୋଗ ନକଲେ ଚାଷୀର ଉତ୍ପାଦନ କମିବା ସହ ରାଜ୍ୟର ଫସଲ ଉତ୍ପାଦନ କ୍ଷେତ୍ରରେ ବହୁଳ ଭାବରେ ପ୍ରଭାବ ପଡ଼ିବ। ପୂର୍ବରୁ ଏସମ୍ପର୍କରେ ରାଜ୍ୟ କୃଷି ଓ କୃଷିମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟକୁ ସାର ଯୋଗାଣ ନିମନ୍ତେ ଦୃଷ୍ଟି ଆକର୍ଷଣ କରଛନ୍ତି। ହେଲେ ମଧ୍ୟ କେନ୍ଦ୍ର ସରକାର ଆବଶ୍ୟକତା ମୁତାବକ ସାର ଯୋଗାଣ କରିନାହାନ୍ତି। ଫଳରେ ବିଜୁ କୃଷକ ଜନତା ଦଳ ଧାରଣା ଦେବାକୁ ବାଧ୍ୟ ହୋଇଛି। ତେଣୁ ଯଥାଶୀଘ୍ର ଓଡ଼ିଶାର ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଉ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଓ ବିଜୁ କୃଷକ ଜନତା ଦଳର ଜିଲ୍ଲା ମୁଖ୍ୟ ମିତ୍ରଭାନୁ ସାହୁଙ୍କ ସହ ବିଜେଡି ସଦସ୍ୟମାନେ ଉପସ୍ଥିତ ଥିଲେ।