ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ ମହାମାରୀ କାରଣରୁ ଦୀର୍ଘ ୨ ବର୍ଷ ହେବ ପିଲାମାନଙ୍କର ପାଠପଢ଼ା ପ୍ରଭାବିତ ହୋଇଛି। ଗତବର୍ଷ ଫେବୃଆରୀ ମାସରେ ପ୍ରଥମ ଥର କରୋନା ପଜିଟିଭ ସଂଖ୍ୟା ବଢ଼ିବାରୁ ଅଧିକାଂଶ ରାଜ୍ୟରେ ସ୍କୁଲ-କଲେଜ ଗୁଡ଼ିକ ବନ୍ଦ ରଖାଯାଇଥିଲା। ଦେଶରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ପୁଣି ଥରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଆଜି ଠାରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ ଓ ରାଜସ୍ଥାନରେ କୋଭିଡ-୧୯ କଟକଣା ସହିତ ସ୍କୁଲ ଗୁଡ଼ିକ ଖୋଲିବ। ଉତ୍ତରପ୍ରଦେଶରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ। ସ୍କୁଲ ଗୁଡ଼ିକ ସକାଳ ୮ଟାରୁ ଖୋଲିବାକୁ ଥିବା ବେଳେ ୨ଟି କ୍ଲାସ ପରିଚାଳନା ହେବ। ଅଫଲାଇନ ସହିତ ଅନଲାଇନ କ୍ଲାସ ମଧ୍ୟ ଜାରି ରହିବ। ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ଆଜି ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ।
ଦିଲ୍ଲୀରେ ନବମ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ। କିନ୍ତୁ ମଧ୍ୟପ୍ରଦେଶରେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଗୁଡ଼ିକ ଖୋଲିବ। ରାଜସ୍ଥାନରେ ପାଖାପାଖି ୬ ମାସ ପରେ ସ୍କୁଲ ଗୁଡ଼ିକ ଖୋଲୁଛି। ରାଜସ୍ଥାନରେ ସକାଳ ୭ଟା ୩୦ରୁ ନବମ ଠାରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ଅଫଲାଇନରେ କ୍ଲାସ କରିବାକୁ ସ୍କୁଲ-କଲେଜ ଯିବେ। ସ୍କୁଲ ଗୁଡ଼ିକରେ କୋଭିଡ-୧୯ ଗାଇଡଲାଇନକୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।