- ଖୋର୍ଦ୍ଧା: ମାନବବାଦ ସଙ୍ଗଠନ ବିରୋଧରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପରାଧର ଫର୍ଦ୍ଦ। ଗତ କିଛିଦିନ ତଳେ ମାନବବାଦ ସଙ୍ଗଠନର କିଛି କର୍ମକର୍ତ୍ତା ବେଗୁନିଆ ଅଞ୍ଚଳର ଦୁଇ ଜଣ ବାପା ପୁଅଙ୍କୁ ନିର୍ଦ୍ଧୁମ ଛେଚିଥିବା ଭିଡିଓ ଭାଇରାଲ୍ ହେବାପରେ ଏବେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଅଧ୍ୟାୟ। ସଙ୍ଗଠନରେ ସାମିଲ ହେଲେନି ବୋଲି ଗାଁରୁ ତଡ଼ା ଖାଇଲେ ୬ ପରିବାର। ହିନ୍ଦୁ ଧର୍ମ ପରିତ୍ୟାଗ ନକରିବାରୁ ଏହି ୬ ପରିବାର ଭୋଗୁଛନ୍ତି ନିର୍ବାସନର ଦଣ୍ଡ। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଡାଳତୋଳା ଗାଁରୁ। ଗାଁରୁ ତଡା ଖାଇ ଏବେ ବାହାରେ ରହୁଛନ୍ତି ରମେଶ ନାୟକ, ସାଧୁ ନାୟକ, ଡମ୍ବରୁ ପ୍ରଧାନ, ଯୋଗୀ ପ୍ରଧାନ, ସର୍ବେଶ୍ୱର ପ୍ରଧାନ ଏବଂ ଭିମ ପ୍ରଧାନଙ୍କ ପରିବାର।
- ସୂଚନାନୁଯାୟୀ, ୨୦୧୪ ମସିହାରେ କାଜୁ ଜଙ୍ଗଲ ଟେଣ୍ଡରକୁ ନେଇ ହୋଇଥିଲା ଗଣ୍ଡଗୋଳ। କାଜୁ ଜଙ୍ଗଲ ଟେଣ୍ଡର ସଙ୍ଗଠନକୁ ନମିଳିବାରୁ ରକ୍ତମୁଖା ପାଲଟିଥିଲେ ମାନବାଦ ସଙ୍ଗଠନର କର୍ମକର୍ତ୍ତା। ଏହାପରେ ୬ଟି ପରିବାରକୁ ଗାଁରୁ ଘଉଡାଇ ଦେଇଥିଲା ସଙ୍ଗଠନ। ସେମାନଙ୍କୁ ମାଡ଼ ମାରି ତାଙ୍କ ଘରୁ ଲୁଟପାଟ୍ ମଧ୍ୟ କରିଛନ୍ତି କର୍ମକର୍ତ୍ତା। ମାନସ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଛତ୍ରଛାୟାରେ ସଙ୍ଗଠନର କର୍ମକର୍ତ୍ତା ଏଭଳି କାଣ୍ଡ କରୁଥିବା ଅଭିଯୋଗ କରିଛନ୍ତି ନିର୍ବାସିତ ପରିବାର। ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ତୁନି ବସିଛି ପୁଲିସ। ଫଳରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି ନିର୍ବାସନ ଦଣ୍ଡ ଭୋଗୁଥିବା ଏହି ୬ ପରିବାର। ତେବେ ପ୍ରଶ୍ନ ଉଠୁଛି ଏହି ମାନସ ଦାସ କିଏ ? ଯାହା ବଳରେ ବଳିୟାନ୍ ହୋଇ ସାଧାରଣ ଲୋକଙ୍କ ଉପରେ ଜୁଲୁମ୍ କରୁଛନ୍ତି ମାନବବାଦୀ ସଙ୍ଗଠନର କର୍ମକର୍ତ୍ତ। ଅଭିଯୋଗ ପରେ ବି କାହିଁକି ଚୁପ୍ ବସିଛି ପୁଲିସ ପ୍ରଶାସନ?