- କାବୁଲ: ଆଫଗାନିସ୍ତାନର କାନ୍ଦାହାରରେ ସମସ୍ତ ଟେଲିଭିଜନ ଏବଂ ରେଡିଓ ଚ୍ୟାନେଲରେ ସଙ୍ଗୀତ ପରିବେଷଣ ଏବଂ ମହିଳାଙ୍କ ସ୍ୱର ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ। ମହିଳା ଏବଂ ପୁରୁଷଙ୍କୁ ସମାନ ଅଧିକାର ଦିଆଯିବ ବୋଲି କହି ତାଲିବାନ ଏବେ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛି।
- ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲା। ଏହାପରେ କିଛି ଗଣମାଧ୍ୟମ ସଂସ୍ଥା ଡରରେ ମହିଳା ଉପସ୍ଥାପକ ହଟାଇଥିବାବେଳେ ଆଜି ଏଭଳି ଖବର ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ତାଲିବାନ ଡରରେ ପ୍ରାୟ ୨,୦୦୦ ସାମ୍ବାଦିକ ଆଫଗାନିସ୍ତାନ ଛାଡ଼ିବା ପାଇଁ ସ୍ଥାନାନ୍ତର ଆବେଦନ କରିଥିବା କହିଛି ଇଣ୍ଟରନାସନାଲ ଫେଡେରେସନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଆଇଏଫଜେ)।
- ଆଇଏଫଜେ କହିଛି, ୨୦୦୦ରୁ ଅଧିକ ଆଫଗାନିସ୍ତାନ ସାମ୍ବାଦିକଙ୍କ ସ୍ଥାନାନ୍ତର ଆବେଦନ ଆଇଏଫଜେ ଦ୍ୱାରା ଗ୍ରହଣ କରାଯାଇଛି। କାବୁଲ ବିମାନବନ୍ଦରରୁ ଆଫଗାନିସ୍ତାନ ଗଣମାଧ୍ୟମ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ତାଲିବାନକୁ ଅନୁରୋଧ କରାଯାଇଛି। ତେବେ ତାଲିବାନ ସମସ୍ତଙ୍କୁ ସୁରକ୍ଷା ଦିଆଯିବା ସହ ସମସ୍ତଙ୍କୁ ସମାନ ଅଧିକାର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେହି ବି ତାଲିବାନ ପ୍ରତିଶ୍ରୁତି ଉପରେ ବିଶ୍ୱାସ କରିପାରୁନାହାନ୍ତି। ତାଲିବାନ ଡରରେ ପ୍ରାୟ ୩,୦୦୦ ଆଫଗାନ ଦେଶ ଛାଡିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଅଛନ୍ତି।