ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓରେ ସଲମାନ ଫିଲ୍ମ ସୁଟିଂ ଲାଗି ଋଷିଆ ଯାଉଥିବାବେଳେ ସିଆଇଏସଏଫର ଜଣେ ଅଧିକାରୀ ତାଙ୍କୁ ଅଟକାଇଥିଲେ। ସଲମାନ ବିନା ଚେକିଂରେ ଭିତରକୁ ଯାଉଥିବାରୁ ଅଧିକାରୀ ଜଣକ ତାଙ୍କୁ ଅଟକାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଉକ୍ତ ଅଧିକାରୀ ଜଣଙ୍କ ଯେମିତି ମିଡିଆ ସହ କଥା ନ ହୋଇପାରିବେ ସେଥିଲାଗି ତାଙ୍କ ଫୋନ୍ ଜବତ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସିଆଇଏଏଫ୍ ଟ୍ୱିଟ୍ କରି ଏହି ଖବରକୁ ଖଣ୍ଡନ କରିଛି। ଏଥିରେ ଉକ୍ତ ଅଧିକାରୀଙ୍କୁ ଦଣ୍ଡ ନୁହେଁ ବରଂ ନିଜ କର୍ତ୍ତବ୍ୟ ସଠିକ ଭାବେ ତୁଲାଇଥିବାରୁ ପୁରସ୍କୃତ କରାଯାଇଥିବା ଉଲ୍ଲେଖ କରାଯାଇଛି।