ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଗତକାଲି ରାତିରୁ ଲଘୁଚାପ ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ଜିଲ୍ଲା ସଦର ମହକୁମାସ୍ଥିତ ସାତିମଗୁଡ଼ା ସାହିରେ ଘର ମଧ୍ୟରେ ବର୍ଷା ଜଳ ପଶିିବା ସହ ୩୨୬ ଜାତୀୟ ରାଜପଥରେ ଉପରେ ଜଳ ପ୍ରବାହିତ ହୋଇଛି। ଏଥିସହ ମାଲକାନଗିରିରୁ ବାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଝିରେ ଥିବା କୋରୁକୋଣ୍ଡା ପୋଲ ଉପରେ ୪ରୁ ୫ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି। ସେହପରିି ପୋଟେରୁ ପୋଲି, କାଙ୍ଗୁରୁକୋଣ୍ଡା ପୋଲ, କାଲିମେଳା କନ୍ୟାଶ୍ରମ ପୋଲ ଓ ଏମଭି-୧୨ ପୋଲ ଉପରେ ମଧ୍ୟ ପ୍ରାୟ ୨ ଫୁଟ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଫଳରେ ମାଲକାନଗିରିଠାରୁ ବାଲିମେଳା, କାଲିମେଳା ଓ ପଡ଼ିଆ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ରାସ୍ତାର ଉଭୟ ପାଶ୍ୱର୍ରେ ସହସ୍ରାଧିକ ଗାଡ଼ି ଅଟକି ରହିବା ସହ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଯଦି ଏମିତି ବର୍ଷା ଲାଗି ରହେ ତେବେ ଜିଲ୍ଲାରେ ଥିବା ଅନେକ ତଳୁଆ ପୋଲ ବୁଡ଼ିବାର ସମ୍ଭାବନା ରହିଛି। ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ବ୍ଲକରେ ୮୬.୮ ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ମାଥିଲିରେ ୧୪ ମିମି, ଖଇରପୁଟରେ ୩୦ ମିମି, ଚିତ୍ରକୋଣ୍ଡାରେ ୩ ମିମି, କୋରୁକୋଣ୍ଡାରେ ୨୭ ମିମି, କାଲିମେଳାରେ ୧୭ ମିମି ଓ ପଡ଼ିଆରେ ୧୩.୨ ମିମି ବର୍ଷା ରେକର୍ଡ କରାଯାଇଛି।