- ଅମରାବତି, ଆନ୍ଧ୍ର ପ୍ରଦେଶରେ ଚାଲିଥିବା ମହା ଟିକାକରଣ ଅଭିଯାନ ସମୟରେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇ ରେକର୍ଡ ହୋଇଛି। ଏହି ସମୟରେ ରାଜ୍ୟସାରା ଲୋକଙ୍କୁ ମୋଟ ୧୨.୫୬ ଲକ୍ଷ ଟିକା ଦିଆଯାଇଛି। ଏହି ପ୍ରକ୍ରିୟାରେ ପ୍ରଥମ ଡୋଜ୍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ପାର୍ କରିଛି। ପ୍ରଦେଶରେ ୪୫ ବର୍ଷରୁ ଅଧିକ ଆୟୁବର୍ଗର ଲୋକ ଏବଂ ୫ ବର୍ଷରୁ କମ୍ ବୟସର ପିଲାଙ୍କ ମା’ଙ୍କୁ ଧ୍ୟାନରେ ରଖି ରବିବାର ସକାଳ ୬ଟାରେ ୧୩ ଜିଲ୍ଲାର ୨୦୦୦ରୁ ଅଧିକ କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୋଟ ୯,୦୨,୩୦୮ ଲୋକଙ୍କୁ ଟିକାକରଣ କରାଯାଇଥିଲା। ଏଥିସହ ବିଭାଗର ଅଧିକାରୀମାନେ ଅଭିଯାନ ଶେଷ ହେବାର ସମୟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ ୧୨ ଲକ୍ଷ ହେବାର ଆଶା କରିଥିଲେ ଓ ଏପରି ହେଲା। ସନ୍ଧ୍ୟା ୬ଟା ସୁଦ୍ଧା ୧୨.୫୬ ଲକ୍ଷ ଟିକାକରଣ କରାଯାଇଥିଲା।