ଝାରସୁଗୁଡ଼ାରେ ଲକଡାଉନର ପ୍ରଭାବ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲାରେ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଛି। ଫଳରେ ଜିଲ୍ଲାରେ ସାଧାରଣ ପରିବହନ ଓ ଦୋକାନ ବଜାର ବନ୍ଦ ରହିଛି। ଖାଉଟୀ ସାମଗ୍ରୀ ମିଳୁଥିବା ଦୋକାନ ବଜାର ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଖୋଲା ରଖିବା ଲାଗି ଅନୁମତି ମିଳିଛି। ସେହିପରି କେବଳ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ସଂସ୍ଥା ଯଥା ଚିକିତ୍ସାଳୟ, ପୁଲିସ ଷ୍ଟେସନ, ଅଗ୍ନିଶମ ବିଭାଗ, ପ୍ରଶାସନିକ କାର୍ଯ୍ୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟ ସହ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ, କୃଷି, ଗୋପାଳନ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦେକାନ, ପେଟ୍ରୋଲ ପମ୍ପ, ଦୁଗ୍ଧ, ଜଳ ଓ ବିଦ୍ୟୁତ ଯୋଗାଣ ଆଦିକୁ ବନ୍ଦରୁ ବାଦ ଦିଆଯାଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଅନୁମତି ମିଳିଥିବାବେଳେ ସାଧାରଣଲୋକଙ୍କ ଗମନାଗମନ ଉପରେ କଟକଣା ଲଗାଯାଇଛି। ତେବେ ଜିଲ୍ଲାର ବିଭିନ୍ନ ଛକରେ ପୁଲିସ ନିୟୋଜିତ ରହି ଲକଡାଉନ ନିୟମକୁ ଯେପରି କେହି ଉଲ୍ଲଂଙ୍ଘନ ନକରିବେ ସେଥିପ୍ରତି ଦୃଷ୍ଟି ରଖାଯାଇଛିି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଲକଡାଉନ ସମୟରେ ଘରୁ ବାହାରିଥିବା ଲୋକଙ୍କ ଆବଶ୍ୟକୀୟ କାଗଜପତ୍ର ତଦାରଖ କରୁଥିବାବେଳେ ଅନାବଶ୍ୟକ ଭାବରେ ବୁଲୁଥିବା ଅମାନିଆଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।