ବାତିଲ ହେଲା ଚେନ୍ନାଇ-ଝାରସୁଗୁଡ଼ା ବିମାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସ୍ପାଇସଜେଟ ପକ୍ଷରୁ ଚେନ୍ନାଇ-ଝାରସୁଗୁଡ଼ା-ଚେନ୍ନାଇକୁ ଶୁକ୍ରବାର ସିଧାସଳଖ ଭାବେ ବିମାନ ସେବା ଆରମ୍ଭ ହୋଇଥିବାବେଳେ ଆଜି ଏହା ବାତିଲ ହୋଇଛି। ଆଜି ଚେନ୍ନାଇରୁ ଝାରସୁଗୁଡ଼ାକୁ ବିମାନ ଆସିନାହିଁ କି କୌଣସି ବିମାନ ଚେନ୍ନାଇକୁ ଉଡ଼ାଣ ଭରି ନାହିଁ। ତେବେ ଆଜି ଚେନ୍ନାଇ-ଝାରସୁଗୁଡ଼ା-ଚେନ୍ନାଇ ବିମାନ ବାତିଲ ହେବାର ସଠିକ କାରଣ ଜଣାପଡ଼ି ନାହିଁ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି କହିଛନ୍ତି। ଅନ୍ୟପଟେ ରବିବାରଠୁ ଏହି ବିମାନ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଉଡ଼ାଣ ଓ ଅବତରଣ କରିବ ବୋଲି ଶ୍ରୀ ସେନାପତି କହିଛନ୍ତି।

ପ୍ରକାଶଯୋଗ୍ୟ, ସ୍ପାଇସଜେଟ ପକ୍ଷରୁ ଗତକାଲିଠାରୁ ଝାରସୁଗୁଡ଼ା ଓ ଚେନ୍ନାଇ ମଧ୍ୟରେ ବିମାନ ସେବା ଆରମ୍ଭ କରାଯାଇଛି। ଏହି ବିମାନଟି ଚେନ୍ନାଇରୁ ଅପରାହ୍ଣ ୧ଟା ୧୦ ମିନିଟରେ ବାହାରି ଅପରାହ୍ଣ ୩ଟାରେ ଝାରସୁଗଡ଼ା ପହଞ୍ଚିବ। ପରେ ଅପରାହ୍ଣ ୩ଟା ୩୦ରେ ଝାରସୁଗୁଡ଼ାରୁ ଉଡ଼ାଣ ଭରି ୫ଟା ୧୫ରେ ଚେନ୍ନାଇ ପହଞ୍ଚିବା ପାଇଁ ସମୟ ସାରୀଣି ସ୍ଥିର କରାଯାଇଛି।