ଦେବଗଡ଼,ଏନ୍ଏନ୍ଏସ୍: ଧାନ କିଣାରେ ଅନୀୟମିତତା ଅଭିଯୋଗରେ ତିଲେବଣୀ ବ୍ଲକ ଅନ୍ତର୍ଗତ ଲଇମୁରା ସେବା ସମବାୟ ସମିତିର ସମ୍ପାଦକ ଓ ସହସମ୍ପାଦକ ନଲମ୍ବିତ ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଚଳିତ ଖରିଫ ଧାନ କିଣା ପାଇଁ ଲଇମୁରା ସେବା ସମବାୟ ସମିତି ସମ୍ପାଦକ ଡିଲେଶ୍ୱର ପ୍ରଧାନ ଓ ସହସମ୍ପାଦକ କମଳ ଲୋଚନ ରଣାଙ୍କୁ ବିଭାଗ ପକ୍ଷରୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ଉଭୟ ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ଟୋକନ ପାଇଥିବା ଚାଷୀଙ୍କଠାରୁ ଧାର୍ଯ୍ୟ ସମୟରେ ଧାନ ନ କିଣି ପରବର୍ତ୍ତୀ ସମୟରେ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ଚାଷୀଙ୍କଠାରୁ ଆଗୁଆ ଧାନ କିଣୁଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ସମବାୟ ସମିତିର ସହକାରୀ ନିବନ୍ଧକ ପଦ୍ମ ଲୋଚନ ବେହେରା ଘଟଣାର ତଦନ୍ତ କରି ଅଭିଯୋଗରେ ସତ୍ୟତା ଥିବା ଜାଣିବା ପରେ ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ସେହିପରି ସମାନ ଅଭିଯୋଗ ଆଧାରରେ କାପାଲି ସେବା ସମବାୟ ସମିତିର ସହସମ୍ପାଦକ ଅକ୍ଷୟ କୁମାର ବାଘଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।