ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସୁପ୍ରସିଦ୍ଧ ବଡ଼ଯାତ୍ରା ଆଜି ଉଦଯାପିତ ହୋଇଯାଇଛି। ଗତକାଲି ଶେଷ ଦିନରେ ଠାକରୁଙ୍କ ଶେଷ ଅନ୍ନ ଭୋଗ ପରେ ଆଜି ମାନ୍ୟମକୋଣ୍ଡାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ୪ଦିନ ଧରି ତିନି ଠାକୁର କାନାମରାଜ, ବାଲରାଜ, ପୋତରାଜ ଓ ଦେବୀ ମୁତ୍ୟଲୁଆମ୍ମାଙ୍କ ଦର୍ଶନ ପାଇଁ ଜିଲ୍ଲା ସହ ପୋଡ଼ଶୀ ଆନ୍ଧ୍ର ଓ ଛତିଶଗଡ଼ରୁ ମଧ୍ୟ ବହୁ ଭକ୍ତଙ୍କ ଭିଡ଼ ଜମିଥିଲା। ଗତକାଲି ଶେଷ ଦିନ ହୋଇଥିବାରୁ ଜିଲ୍ଲା ସଦର ମହକୁମାସ୍ଥିତ ମାଉଲି ମା’ଙ୍କ ମନ୍ଦିର ପରିସରରେ ସହସ୍ରାଧିକ ଭକ୍ତ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। କୋଭିଡ ନିୟମ ଅନୁଯାୟୀ ମାସ୍କ ପରିଧାନ କରି ଭକ୍ତମାନେ ଧାଡ଼ିରେ ଠିଆ ହୋଇ ଠାକୁରଙ୍କ ଦର୍ଶନ କରିଥିଲେ। ଜିଲ୍ଲା ଓ ପୁଲିସ ପ୍ର୍ରଶାସନ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଡ଼ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ବହୁ ଜନସମାଗମ ହେବାକୁ ଦୃଷ୍ଟିରେ ରଖି ଗତ ୨୩ ତାରିଖ ରାତି ୯ଟାରୁ ଜାରି ହୋଇଥିବା ନାଇଟ କର୍ଫ୍ୟୁକୁ ଆଜି ମଧ୍ୟରାତ୍ରିରୁ ପ୍ରତ୍ୟାହୃତ କେରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ, ଅପେରା, ଦେଶୀଆ ନାଟକ, ଡିଜେ ସେଟ, ମୀନା ବଜାର, ଖାଦ୍ୟ ଦୋକାନ, ଖେଳନା ଦୋକାନ ସହ ବହୁ ଅସ୍ଥାୟୀ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଥିଲା। ତେବେ ବିଭିନ୍ନ ସଂଗଠନ ଓ ପୁଲିସ ପକ୍ଷରୁ ଲୋକଙ୍କୁ ମାସ୍କ ସହ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଏହା ପ୍ରତ୍ୟେକ ୨ ବର୍ଷକୁ ଥରେ ହେଉଥିବାରୁ ଗତକାଲି ରାତିରେ ପୁଣି ଆଗମୀ ୨ ବର୍ଷକୁ ଏହି ଯାତ୍ରାର ଅପେକ୍ଷା କରି ଠାକୁରଙ୍କୁ ବିଦାୟ ଦିଆଯାଇଛି।