ବ୍ରହ୍ମପୁର,ଏନଏନଏସ: ଗଞ୍ଜାମ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ଅର୍କିଡ୍, ଜର୍ବେରା, ଡଚ୍ ରୋଜ୍, ଗ୍ଲାଡିଓଲ୍ ଆଦି ରପ୍ତାନୀଭିତ୍ତିକ ଫୁଲ ଚାଷ ପାଇଁ ବେଶ ଅନୁକୂଳ ହୋଇଛି। ୩ ବର୍ଷ ହେଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଏବଂ କିଛି ଉତ୍ସାହି ଯୁବ ଉଦ୍ୟମରେ ଗଞ୍ଜାମ ଜିଲ୍ଲାରେ ଏହି ଚାଷ କରାଯାଉଛି। ଫୁଲ ଚାଷର ଉନ୍ନତି ସହିତ ଏଠାରୁ ଫୁଲ ରତ୍ପାନୀର ସମ୍ଭାବନା ଥିବାରୁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ହୁମ୍ମା ଠାରେ ଅର୍କିଡ୍ ଚାଷର କ୍ଲଷ୍ଟର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସମ୍ପ୍ରତି ସେଠାରେ କିଛି ଉଦ୍ୟୋଗୀ ଅର୍କିଡ୍ ଚାଷ ମଧ୍ୟ କରୁଛନ୍ତି। ସେଠାରୁ ପ୍ରେରଣା ପାଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଯୁବଚାଷୀମାନେ ଫୁଲଚାଷ କରିବା ପାଇଁ ଆଗଭର ହେଉଛନ୍ତି। ହେଲେ ସେମାନଙ୍କୁ ସେଭଳି କିଛି ପ୍ରୋତ୍ସାହନ ମିଳୁନାହିଁ।
ଉଦ୍ୟାନ କୃଷି ବିଭାଗର ସହଯୋଗରେ ଗତ କିଛି ବର୍ଷଧରି ବିଭିନ୍ନ ଅଞ୍ଚଳରେ ସେଡ୍ ନେଟ୍ ହାଉସ୍, ପଲି ଗ୍ରୀନ୍ ହାଉସ ଯୋଗେ ପନିପରିବା, ଫୁଲଚାଷ ଓ ଛତୁ ଚାଷ ଆଦି କରାଯାଉଛି। କିଛିଦିନ ପୂର୍ବେ ମହିଳା ଏସ୍ଏଚ୍ଜିମାନଙ୍କୁ ଗୋଲାପ ଫୁଲ ଚାଷ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯିବା ସହ ସହାୟତା ଯୋଗାଇବାକୁ ଘୋଷଣା କରାଯାଇଛି। ତେବେ ଅଧିକାଂଶ ଫୁଲଚାଷୀ ସେଡ୍ ନେଟ୍ ହାଉସ୍, ପଲିଗ୍ରୀନ୍ ହାଉସ ସହାୟତାରେ ଫୁଲଚାଷ କରିବାକୁ ଅପେକ୍ଷାକରି ରହିଥିବା ବେଳେ ବ୍ୟାଙ୍କମାନେ ସେମାନଙ୍କୁ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଅଳ୍ପ କେତେକ ବ୍ୟାଙ୍କ ଋଣ ଦେବାକୁ କହୁଥିଲେ ମଧ୍ୟ ଋଣଠାରୁ ଅଧିକ ମୂଲ୍ୟର ବନ୍ଧକ ରଖିବା ପାଇଁ ବାଧ୍ୟ କରୁଛନ୍ତି। ଏହାବ୍ୟତୀତ ଗଞ୍ଜାମ କିଛିବର୍ଷ ହେଲା ବାତ୍ୟା ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ ହୋଇଛି। ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ଫୁଲଚାଷ କ୍ଷତିଗ୍ରସ୍ତ ହେଉଛି। ଏହି ଚାଷ ବୀମାଭୁକ୍ତ ହୋଇପାରିଥିଲେ ହୁଏତ କ୍ଷତିଭରଣା ପାଇଁ ଚାଷୀ ଦ୍ୱିତୀୟ ଥର ଚାଷ କରନ୍ତା। ବୀମା ବ୍ୟବସ୍ଥା ନଥିବାରୁ ଫୁଲଚାଷ କରିବା ପାଇଁ ଚାଷୀ ସାହାସ କରିପାରୁ ନାହାନ୍ତି।
ହୁମ୍ମା ଠାରେ ଥିବା ଅର୍କିଟ୍ ଚାଷ ଗତ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ ବୀମା କରାଇଥିଲେ ବି ଖୁବ୍ କମ୍ ପରିମାଣର ବୀମା ରାଶି ପାଇଥିଲେ। ସ୍ଥାନୀୟ ଉଦ୍ୟାନ କୃଷି ବିଭାଗଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଛତ୍ରପୁର ବ୍ଲକ୍ ଆମ୍ବଗଡ଼ ଠାରେ ଶିବରାମ ମହାଙ୍କୁଡ ୨୫୦୦ବର୍ଗଫୁଟ ଅଞ୍ଚଳରେ ଗୋଲାପ ଚାଷ ପଲି ହାଉସ୍ରେ କରିଛନ୍ତି। ଏହାର ବ୍ୟୟ ଅଟ୍ଟକଳ ପ୍ରାୟ ୨୧ଲକ୍ଷ ଟଙ୍କା ହୋଇଥିବା ବେଳେ ଚାଷୀ ନିଜ ଅଂଶଧାନ ବାବଦକୁ ୭ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି। ସେହିଭଳି ସାନଖେମୁଣ୍ଡି ବ୍ଲକ୍ ଦସେଇପୁଟ ଠାରେ ସଞ୍ଜିବ କୁମାର ପୁରୋହିତ ସେଡ୍ ନେଟ୍ ହାଉସ୍ ଯୋଗେ ୧ହଜାର ବର୍ଗଫୁଟ ଅଞ୍ଚଳରେ ଜରବେରା ଫୁଲଚାଷ ଆରମ୍ଭ କରିଛନ୍ତି। ସେ ନିଜ ଅଂଶଧନ ବାବଦକୁ ୨ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ବିନିଯୋଗ କରିଛନ୍ତି। ତେବେ ବହୁ ଫୁଲଚାଷୀ ବ୍ୟାଙ୍କ ଋଣ ନପାଇବା ଯୋଗୁ ଚାଷ କରିବା ପାଇଁ ପଦକ୍ଷେପ ନେଇପାରୁନଥିବା ଅଭିଯୋଗ ହେଉଛି। ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହି ଦୁଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଫୁଲଚାଷୀ ମହଲରୁ ନିବେଦନ କରାଯାଇଛି।