ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ଦିନ ଭାରତ ଓ ଚୀନ୍ ମଧ୍ୟରେ ଅନୁଷ୍ଠିତ ୧୦ମ ସାମରିକ ସ୍ତରୀୟ ଆଲୋଚନା ଦୀର୍ଘ ୧୬ ଘଣ୍ଟା ଚାଲିବା ପରେ ଆଜି ରାତି ପ୍ରାୟ ୨ଟାରେ ଶେଷ ହୋଇଛି। ଗୋଗ୍ରା ହାଇଟ୍ସ୍, ହଟ୍ ସ୍ପ୍ରିଙ୍ଗ ଏବଂ ଦେସପାଙ୍ଗ ସମତଳ ଅଞ୍ଚଳ ଭଳି ତିନୋଟି ସ୍ଥାନରୁ ସୈନ୍ୟ ଅପସାରଣ ଲାଗି ଏହି ବୈଠକରେ ଆଲୋଚନା କରାଯାଇଥିଲା।
ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଦୁଇ ଦେଶର ସେନାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ଲଦାଖ ଅଞ୍ଚଳରେ ସୃଷ୍ଟ ଉତ୍ତେଜନା ହ୍ରାସ ନିମନ୍ତେ ଉପରୋକ୍ତ ଅଞ୍ଚଳରୁ ଅବିଳମ୍ବେ ସୈନ୍ୟ ପ୍ରତ୍ୟାହାର ଲାଗି ଚୀନ୍ ସହ ହୋଇଥିବା ଏହି ସଦ୍ୟ ଆଲୋଚନାରେ ଭାରତ ଗୁରୁତ୍ୱାରୋପ କରିଥିବା ଜଣାପଡ଼ିଛି।
ଏହି ଆଲୋଚନାରେ ଭାରତର ନେତୃତ୍ୱ ନେଇଥିଲେ ଲେହସ୍ଥିତ ୧୪ କର୍ପସ୍ର କମାଣ୍ଡର୍ ଇନ୍-ଚିଫ୍ ଲେଫ୍ଟନାଣ୍ଟ୍ ଜେନେରାଲ୍ ପିଜିକେ ମେନନ୍। ସେହିଭଳି ଚୀନ୍ ତରଫରୁ ନେତୃତ୍ୱ ନେଇଥିଲେ ପିପୁଲ୍ସ୍ ଲିବରେସନ୍ ଆର୍ମି ଦକ୍ଷିଣ ଚିନଜିଆଙ୍ଗ୍ ସାମରିକ ଜିଲ୍ଲାର କମାଣ୍ଡର୍ ମେଜର୍ ଜେନେରାଲ୍ ଲିୟୁ ଲିନ୍।