ଭୁବନେଶ୍ୱର,ଏନ୍ଏନ୍ଏସ୍: ‘ଓଡ଼ିଶାରୁ ଇଞ୍ଚେ ବି ଜାଗା କାହାରିକୁ ଦେବୁ ନାହିଁ। କୋଟିଆ ଇଲାକାରେ ଆନ୍ଧ୍ର ସରକାରଙ୍କ ଜୋରଜବରସ୍ତ କାର୍ଯ୍ୟକୁ ଆମେ ଦୃଢ଼ ହସ୍ତରେ ପ୍ରତିହତ କରିବୁ। ଏଥିପାଇଁ ଆମେ ସଙ୍କଳ୍ପବଦ୍ଧ।’
ଏଭଳି ଢଙ୍ଗରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଶନିବାର ଗଣମାଧ୍ୟମକୁ ମନ୍ତ୍ରୀ କହିଥିଲେ, କୋରାପୁଟ ଓ ଗଜପତି ଜିଲ୍ଲାର ସୀମାବର୍ତ୍ତୀ ଇଲାକାର କିଛି ଅଞ୍ଚଳରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରୁଥିବା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଛି। ସେଥିପାଇଁ ସରକାର ସଚେତନ। ଆମେ ଯାହା ପଦକ୍ଷେପ ନେବାକଥା ଯଥା ସମ୍ଭବ ନେବୁ। ଓଡ଼ିଶାର ଇଞ୍ଚେ ବି ଜାଗା କାହାକୁ ଦେବା ପ୍ରଶ୍ନ ଉଠୁନି। ଜୋର ଜବରଦସ୍ତ ଆମପାଖରୁ ତାହା ଛଡ଼ାଇ ନେଇ ପାରିବେ ନାହିଁ। କୋଟିଆ ଗ୍ରାମ ପୁଞ୍ଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ୍ ଘୋଷଣା କରିସାରିଛନ୍ତି ବୋଲି ଶ୍ରୀ ମାର୍ଣ୍ଡି ପ୍ରକାଶ କରିଥିଲେ।
ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ରେ କୁଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୁଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ହୋଇଥିବାବେଳେ ୫ କୋଟି ଟଙ୍କାର ଗୋଟିଏ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି। ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି। କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି। ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସେ ଖୁବ୍ଶୀଘ୍ର କୁଟିଆ ଅଞ୍ଚଳକୁ ଗସ୍ତ କରି ଲୋକଙ୍କୁ ଭେଟିବେ ଏବଂ କୁଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।