ପୁରୁଷୋତ୍ତମପୁର,ଛତ୍ରପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। ପୁରୁଷୋତ୍ତମପୁର ଅଞ୍ଚଳରୁ ଲୁଟ୍ ହୋଇଥିବା ସୁନା ଗହଣା ଡକାୟତି ମାମଲାରେ ପୁଲିସ ୬କିଲୋ ୫୦୧ଗ୍ରାମ ସୁନା ଗହଣା, ୪ଲକ୍ଷ ୪୪ହଜାର ଟଙ୍କା ଉଦ୍ଧାର କରିବା ସହ ୧୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୧୦ ଜଣ ଡକାୟତ ଥିବା ବେଳେ ୫ ଜଣ ଚୋରି ଗହଣା କିଣିଥିବା ବ୍ୟକ୍ତି ରହିଛନ୍ତି। ଆଜି ଏସମ୍ପର୍କରେ ଗଞ୍ଜାମ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ମାସ ୧୨ ତାରିଖ ରାତିରେ ପୁରୁଷୋତ୍ତମପୁର ସହର ଚାଙ୍ଗୁଡ଼ିଆପଦର ସାହିର ସୁନା ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ପ୍ରାୟ କୋଟିଏ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିଲା। ଏନେଇ ସୁରେନ୍ଦ୍ର ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶରେ ଏଏସପି ଠାକୁର ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତଦନ୍ତ ଜୋରଦାର କରାଯାଇଥିଲା।
ଏହି ଟିମ ମାସକ ମଧ୍ୟରେ ସଫଳତା ସହ ଚୋରୀ ଜିନିଷ ଉଦ୍ଧାର କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ଘନଶ୍ୟାମ ବେହେରା, କାଳିଆ ଦାସ, ପିଣ୍ଟୁ ନାହାକ, ବୁଲୁ ନାହାକ, ତ୍ରିନାଥ ବେହେରା, କାହ୍ନୁ ଚରଣ ପଟ୍ଟନାୟକ, ଶଙ୍କର ବେହେରା, ସ୍ୱରାଜ୍ୟ ଦାସ, ସନ୍ୟାସୀ ନାହାକ ଓ ତଥ୍ୟ ପ୍ରଦାନ କରି ଘରାଇ ଗୁମାସ୍ତା ଅମିତ ବେହେରା, ଚୋରୀ ଜିନିଷ କିଣିଥିବା ଅଭିଯୋଗରେ ଡ଼ି.ଦିପୁ ଆଚାରୀ, ସନ୍ତୋଷ ଆଚାର୍ଯ୍ୟ, ପି.ବୀରଭଦ୍ର ରାଓ, ନନ୍ଦକିଶୋର ଭଗତ ଓ ମିଥୁନ ବେହେରା। ଅଭିଯୁକ୍ତମାନଙ୍କ ଠାରୁ ୬କେଜି ସୁନା ଅଳଙ୍କାର, ନଗଦ ୪ଲକ୍ଷ ୪୪ହଜାର ୫ଶହ ଟଙ୍କା, ଗୋଟିଏ ଷ୍ଟାବିଲେଜର, ସିସିଟିଭି, ମୋବାଇଲ, ଗୃହ ଭାଙ୍ଗିବା ସାମଗ୍ରୀ ଜବର କରାଯାଇଛି।