ମହାନଦୀ ଜଳବିବାଦ ମାମଲା, ଡିସେମ୍ବର ୫କୁ ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମହାନଦୀ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାରେ ଆଜି ହେବାକୁ ଥିବା ଶୁଣାଣି ଶେଷ ହୋଇଛି । ଶୁଣାଣିରେ ଓଡ଼ିଶା ପକ୍ଷରୁ ମୁଖ୍ୟତଃ ଦୁଇଟି ଦାବି ରଖାଯାଇଥିଲା । ଅଣ ମୌସୁମୀ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ହୀରାକୁଦ ଜଳଭଣ୍ଡାରକୁ ଛାଡିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ବାରମ୍ବାର ବୈଠକ ବିଫଳ ହୋଇଛି । ଉଭୟ ପକ୍ଷ ମଧ୍ୟରେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ତେଣୁ ଡିସେମ୍ବରରେ କୌଣସି ଏକ ତାରିଖରେ ମାମଲାର ଚୂଡାନ୍ତ ଶୁଣାଣି କରି ଉଭୟ ପକ୍ଷଙ୍କ ଦାବି ଅନୁସାରେ ରାୟ ଦେବାକୁ ଓଡ଼ିଶା ଦାବି କରିଛି । ଓଡ଼ିଶାର ଦାବି ପରେ ଟ୍ରିବ୍ୟୁନାଲ ଆସନ୍ତା ୫ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ ମହାନଦୀ ଜଳ ବିବାଦ ମାମଲାରେ ପକ୍ଷଭୁକ୍ତ ରାଜ୍ୟଙ୍କ ମଧ୍ୟରେ ନଥିପତ୍ର ଆଦାନ ପ୍ରଦାନ ପାଇଁ କମନ ଇନଫରମେସନ ଫର୍ମାଟ ଚୂଡ଼ାନ୍ତ ହୋଇଥିବାବେଳେ ଓଡ଼ିଶା ଏଥିରେ ଛତିଶଗଡ଼ ଦ୍ୱାରା ହୋଇଥିବା ବ୍ୟାରେଜ ତଥ୍ୟ ରଖିବାକୁ ଦାବି କରିଥିଲା । ଅନ୍ୟପଟେ ଛତିଶଗଡ଼ କେତେ ବ୍ୟାରେଜ କରିଛି, ଏହାର ଉଚ୍ଚତା ଓ କ୍ଷମତା କେତେ ସେନେଇ ସବିଶେଷ ତଥ୍ୟ ଆସେସରଙ୍କୁ ନଦେଲେ ଓଡ଼ିଶା ଆବେଦନ କରିପାରିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି । ଏହା ସହ ମୂଳ ଆବେଦନର ଶୁଣାଣି ସମୟ ନିର୍ଦ୍ଧାରଣ ପାଇଁ ଦୁଇ ପକ୍ଷଙ୍କୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।