ଝାରସୁଗୁଡା,ଏନ୍ଏନ୍ଏସ୍: ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାହେଡ଼ା ଦ୍ୱାରା ପରିଚାଳିତ ୱାନ ଷ୍ଟପ୍ ସେଣ୍ଟର ସଖୀର ଆଜି ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଜଗଦୀଶ ଚନ୍ଦ୍ର ବାରିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁପ୍ରଭା ସେଠ୍, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ହୃଷୀକେଶ ଶତପଥୀ, ବରିଷ୍ଠ ଆଇନଜୀବୀ ବି ନାଗେଶ୍ୱରୀ ଯୋଗଦେଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି ସଖୀ କେନ୍ଦ୍ର ସତରେ ମହିଳାଙ୍କର ସର୍ବୋପରି ସଖୀଟିଏ। ସଖୀଟିଏ ସବୁବେଳେ ଯେମିତି ସହଯୋଗର ହାତ ବଢ଼ାଇଥାଏ, ଠିକ ସେହିପରି ମହିଳାମାନଙ୍କର ଦୁଃସମୟରେ ସବୁ ପ୍ରକାର ସହଯୋଗ କରିବା ପାଇଁ ସଖୀ କେନ୍ଦ୍ର ହାତ ବଢ଼ାଉଛି। ମହିଳାଙ୍କର ସୁରକ୍ଷା, ସେମାନଙ୍କୁ ଶୋଷଣରୁ ରକ୍ଷା କରିବା, ଆଇନଗତ ସାହାଯ୍ୟ, ଥଇଥାନ, ଚିକିତ୍ସା ଆଦି କ୍ଷେତ୍ରରେ ସଖୀ କେନ୍ଦ୍ରର ଅବଦାନ ଉଲ୍ଲେଖନୀୟ ବୋଲି ଶ୍ରୀ ସାହୁ କହିଛନ୍ତି।
ସଖୀ କେନ୍ଦ୍ରର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମଟି ସମସ୍ତ କୋଭିଡ ନିୟମକୁ ପାଳନ କରି ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ସାହେଡ଼ାର ପ୍ରବନ୍ଧ ମୁଖ୍ୟ ଆଶିଷ କୁମାର ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ। ସେହିପରି ସାହେଡ଼ା ଅନୁଷ୍ଠାନର ନିର୍ଦ୍ଦେଶିିକା ଆନନ୍ଦୀନି ପାଢ଼ୀ ସଖୀ କେନ୍ଦ୍ରର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମଧୁସ୍ମିତା ବରାଳ, ବନ୍ଦନା ପଣ୍ଡା, ସୁନୀତା ଭଏଁଷା, ଯାଜ୍ଞସିନୀ ନାଏକ ପ୍ରମୁଖଙ୍କ ସହ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସଖୀ କେନ୍ଦ୍ର ମହିଳାଙ୍କୁ ସବୁ ପରିସ୍ଥିରେ ସହଯୋଗର ହାତ ବଢ଼ାଇବ ଏବଂ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି।