ଖାନନଗରରୁ ଆଜି ବିପୁଳ ପରିମାଣର ବାଣ ଜବତ, ଜଣେ ଗିରଫ

କଟକ,ଏନ୍ଏନ୍ଏସ୍: ଚଳିତ ବର୍ଷ କରୋନା ମହାମାରୀ ସଂକ୍ରମଣ ଓ ବାୟୁ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ବାଣ ଫୁଟାଇବା ଓ ବିକ୍ରିକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଟକର ଖାନନଗର ଅଞ୍ଚଳର କୈବର୍ତ୍ତ ସାହିରେ ବାଣ ତିଆରି ହେବା ସହିତ ବିକ୍ରି ହେଉଥିଲା। ଖବର ପାଇ ଆଜି ବାଦମବାଡ଼ି ପୁଲିସ ଉକ୍ତ ସ୍ଥାନରେ ଚଢ଼ଉ କରି ଏହାକୁ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ଯୁଦ୍ଧିଷ୍ଟିର ନାୟକ।

ପୁଲିସ ସୂଚନା ଅନୁସାରେ ସେଠାରେ ଯୁଦ୍ଧିଷ୍ଟିର ଏକ ଅସ୍ଥାୟୀ ଘରେ ରହି ବାଣ ତିଆରି କରି ବିକ୍ରି କରୁଥିଲା। ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ଏହି ସମୟରେ ସେଠାରୁ ୬୨ ବଣ୍ଡଲ ଧପଧପି, ୧୮୬ଟି ଘଡି ବାଣ ଓ ୧୫ଟି ସୁତୁଲି ବମ୍ ଜବତ ହୋଇଛି। ଏନେଇ ଅଭିଯୁକ୍ତକୁ ପଚରାଉଚୁରା କରିବା ପରେ ସେଠାରେ ସେ ବେଆଇନ ଭାବେ ବାଣ ତିଆରି କରି ବିକ୍ରି କରୁଥିବା ଜଣାପଡ଼ିଛି। ପରେ ପୁଲିସ କେସ୍ ନମ୍ବର-୨୨୮/ ୦୬.୧୧.୨୦୨୦ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।