ବାୟୁସେନାକୁ ମିଳିଲା ପୁଣି ୩ ରାଫେଲ ଯୁଦ୍ଧବିମାନ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦ୍ଦାଖରେ ଚୀନ ସହିତ ଉତ୍ତେଜନା ଜାରି ଥିବା ବେଳେ ଦ୍ୱି୍ତୀୟ ଦଫାରେ ଫ୍ରାନ୍ସରୁ ୩ଟି ରାଫେଲ ଯୁଦ୍ଧ ବିମାନ ଆସି ଭାରତରେ ପହଞ୍ଚିଛି। ବାୟୁସେନା ଅନୁସାରେ ଫ୍ରାନ୍ସରୁ ବିମାନଗୁଡ଼ିକ ୩୭୦୦ ନ୍ୟୁଟିକାଲ ମାଇଲ ଅତିକ୍ରମ କରି ଗୁଜୁରାଟର ଜାମାନଗର ଏୟାରବେସରେ ପହଞ୍ଚିଛି। ଉଡାଣ ସମୟରେ ବିମାନରେ ୩ ଥର ଇନ୍ଧନ ଭର୍ତ୍ତି କରାଯାଇଥିଲା। ୩ଟି ଯୁଦ୍ଧବିମାନ ଆସିବା ପରେ ଭାରତୀୟ ବାୟୁସେନାର ବଳ ଆହୁରି ବଢ଼ି ଯାଇଛି।

ସୂଚନାଯୋଗ୍ୟ ଯେ ଜୁଲାଇ ୨୮ ତାରିଖରେ ୫ଟି ରାଫେଲ ଯୁଦ୍ଧବିମାନ ଭାରତ ଆସିଥିଲା। ସେହିପରି ସେପ୍ଟେମ୍ବର ୧୦ରେ ଏହାକୁ ଅମ୍ବାଲାରେ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରାଯାଇଥିଲା।