ସି-ପ୍ଲେନ୍ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ, ଏଜେନ୍ସି: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେୱଡ଼ିଆ-ସାବରମତି ରିଭରଫ୍ରଣ୍ଟ ସି-ପ୍ଲେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ସି-ପ୍ଲେନରେ କେୱାଡ଼ିଆଠାରୁ ଅହମଦାବାଦ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟହ ଅହମଦାବାଦରୁ କେୱାଡ଼ିଆ ଏବଂ କେୱାଡ଼ିଆରୁ ଅହମଦାବାଦ ଏହି ସି-ପ୍ଲେନ୍ ସେବା ଉପଲବ୍ଧ ରହିବ। ଏହାପୂର୍ବରୁ କେୱାଡ଼ିଆସ୍ଥିତ ଏକତା କ୍ରୁଜ୍ ମଧ୍ୟ ମୋଦି ଉଦଘାଟନ କରିଛନ୍ତି। ସାବରମତି ରିଭରଫ୍ରଣ୍ଟରୁ କେୱାଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଏହି ସି-ପ୍ଲେନ ସେବା ଆରମ୍ଭ କରାଯାଇଛି।

ସୂଚନାଯୋଗ୍ୟ, ଦେଶରେ ପ୍ରଥମଥର ସି-ପ୍ଲେନ୍ ସେବା ଆରମ୍ଭ ହୋଇଛି। ଗୁଜରାଟ ନର୍ମଦା ଜିଲ୍ଲା କେୱାଡ଼ିଆରୁ ଅହମଦାବାଦର ଷ୍ଟାଚ୍ୟୁ ଅଫ୍ ୟୁନିଟି ଯାଏ ପ୍ରଥମ ଉଡ଼ାଣ ହୋଇଥିଲା । ମୋଦି ନିଜେ ଏହି ସି- ପ୍ଲେନରେ ବସି ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ସାବରମତୀ ଆଶ୍ରମ ଯାଏଁ ଯାଇଛନ୍ତି। ଆସନ୍ତାକାଲିଠାରୁ ସି-ପ୍ଲେନ୍ ଆନୁଷ୍ଠାନିକ ଭାବେ ଚାଲିବ। ଉଡ଼ାଣ ଯୋଜନା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।