ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : ଦାରିଙ୍ଗବାଡ଼ି ବ୍ଲକ୍ ହାତୀମୁଣ୍ଡା ପଞ୍ଚାୟତ ତାମାଙ୍ଗି ଗ୍ରାମର ଉପର ସାହିର ପନ୍ଦର ମଲ୍ଲିକ(୬୨)ଙ୍କୁ ସ୍ତ୍ରୀ ଆଖି ଆଗରେ ହାଣି ହତ୍ୟା କରିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଗୁରବାର ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ, ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଓ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି। ବ୍ରାହ୍ମଣୀଗାଁ ପୁଲିସ ଏହି ଘଟଣାରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି । ମୃତଦେହକୁ ଜବତ କରି ବ୍ରାହ୍ମଣୀଗାଁ ନିଆଯାଇ ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ସୂଚନା ଅନୁସାରେ , ବୁଧବାର ଭୋର ପନ୍ଦର ମଳିକ ଓ ସ୍ତ୍ରୀ ଡାକିନିଆଲୁ ମଳିକ ଓ ସାନ ପୁଅ ଗାଁ ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଥିବା ଧାନ କ୍ଷେତକୁ ଯାଉଥିଲେ । ପନ୍ଦର ଆଗେ ଚାଲୁଥିବା ବେଳେ ସ୍ତ୍ରୀ ଡାକିନିଆଲୁ ଓ ସାନ ପୁଅ ଟିକିଏ ଦୂରରେ ଚାଲୁଥିଲା । ଜଙ୍ଗଲରେ ଲୁଚି ରହିଥିବା ମୁଖାଧାରୀ ଏକ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରିଥିଲା। ସ୍ତ୍ରୀ ଓ ପୁଅ ଏହାଦେଖି ଭୟରେ ଗାଁକୁ ଚାଲିଯାଇ ପୁଣି ଗାଁ ଲୋକଙ୍କ ସହ ଘଟଣାସ୍ଥଳକୁ ଆସିଥିଲେ । ହେଲେ ଘଟଣାସ୍ଥଳରୁ ଦୁର୍ବୁତ୍ତମାନେ ପଳାଇଥିବା ବେଳେ ପନ୍ଦରଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ପରିବାର ଲୋକ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଥିଲେ। ଘଟଣାସ୍ଥଳଟି ଉପାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ ପୁଲିସ ପହଞ୍ଚିବାରେ ବିଳମ୍ବ ହୋଇଥିଲେ ହେଁ ଘଟଣାସ୍ଥଳରେ ଗ୍ରାମବାସୀ ଓ ପୋଲିସ ଶବ କୁ ରାତିସାରା ଜଗି ରହିଥିଲେ ।