କରୋନାରୁ ସୁସ୍ଥ ହେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ,ଏଜେନ୍ସି: କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଏନେଇ ଶ୍ରୀ ନାଇଡୁ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଏମସ ମେଡ଼ିକାଲ ପକ୍ଷରୁ ଆଜି ତାଙ୍କର ଓ ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ଆରଟି ପିସିଆର ଟେଷ୍ଟ କରାଯାଇଥିଲା। ତେବେ ଦୁହିଁଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଏଥିସହିତ ନାଇଡୁ ସୁସ୍ଥ ଅଛନ୍ତି ଓ ଅତିଶୀଘ୍ର ଦୈନିକ କାର୍ଯ୍ୟକ୍ରମରେ ଯୋଗଦେଇପାରିବେ ବୋଲି ଡାକ୍ତର କହିଛନ୍ତି। ଶ୍ରୀ ନାଇଡୁ ତାଙ୍କର ହିତାକାଂକ୍ଷୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗତ ସେପ୍ଟେମ୍ବର ୨୯ ତାରିଖରେ ଶ୍ରୀ ନାଇଡୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ସେଠାରେ ତାଙ୍କର ଦୈନିକ କରୋନା ଟେଷ୍ଟ କରାଯାଉଥିଲା। ଏଥିସହିତ ତାଙ୍କ ପତ୍ନୀ ଉଷା ନାଇଡୁଙ୍କ କରୋନା ଟେଷ୍ଟ କରାଯାଇଥିବାବେଳେ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେ ମଧ୍ୟ ହୋମ କ୍ୱାରେଣ୍ଟାଇନରେ ରହିଥିଲେ।