ଆଳି,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଅଡ଼ିହ ଗ୍ରାମରେ ଏକ ଗୁହାଳ ଘରେ ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ଅଗ୍ନିକାଣ୍ଡ ଘଟି ୨ଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଗୋଟିଏ ଗାଈକୁ ଦମକଳ କର୍ମଚାରୀ ଉଦ୍ଧାର କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ବଅଡ଼ିହ ଗ୍ରାମର ପୁରୁଷୋତ୍ତମ ଦାସଙ୍କ ପରିବାର ଲୋକ ଗତକାଲି ରାତିରେ ଗୁହାଳରେ ଘଷି ଜାଳି ଧୂଆଁ ଦେଇଥିଲେ । ବିଳମ୍ବିତ ରାତିରେ ଘଷି କୁହୁଳି କୁହୁଳି ଗୁହାଳ ଘରେ ଥିବା କୁଟା, ବାଉଁଶ ଆଦି ଜାଳେଣୀ ପଦାର୍ଥରେ ନିଆଁ ଲାଗି ଯାଇଥିଲା। ରାତି ପ୍ରାୟ ୩ଟା ସମୟରେ ପରିବାର ଲୋକ ଉଠି ଗୁହାଳରେ ନିଆଁ ଲାଗିବା ଦେଖି ପଡ଼ୋଶୀଙ୍କୁ ଡକାଡ଼କି କରିବା ସହିତ ଆଳି ଦମକଳ ଅଫିସକୁ ଜଣାଇଥିଲେ। ଦମକଳ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଗୁହାଳରେ ବନ୍ଧା ହୋଇଥିବା ଗୋଟିଏ ବଡ଼ ଗାଈ ଓ ବାଛୁରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିବାବେଳେ ଅନ୍ୟ ଏକ ଗାଈକୁ ଉଦ୍ଧାର କରାଯାଇôଥବା ଆଳି ଦମକଳ କେନ୍ଦ୍ର ଅଧିକାରୀ ବିଭୁତି ଭୂଷଣ ନାୟକ ସୂଚନା ଦେଇଛନ୍ତି।