ହାଥରସ ମାମଲାରେ ଇଡିର ଖୁଲାସା, ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ପାଇଁ ଆସିଥିଲା ୧୦୦ କୋଟି

ହାଥରସ, ଏଜେନ୍ସି: ଉତ୍ତରପ୍ରଦେଶର ହାଥରସ ମାମଲାରେ ଦିନକୁଦିନ ନୂଆତଥ୍ୟ ସାମ୍ନାକୁ ଆସୁଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛନ୍ତି। ଇଡି କହିଛି ଯେ, ହାଥରସ ମାମଲାକୁ ସାମ୍ପ୍ରଦାୟିକ ଦଙ୍ଗାର ରୂପ ଦେବାପାଇଁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ନିକଟକୁ ମରିସସରୁ ୫୦ କୋଟି ଟଙ୍କା ଆସିଥିଲା। ଇଡି ଦାବି କରିଛି ଯେ ପୂରା ଭାରତରେ ୧୦୦ କୋଟି ଟଙ୍କା ଫଣ୍ଡିଂ କରାଯାଇଥିଲା। ଦଙ୍ଗା ହେବା ଆଗରୁ ମେରଟରୁ ୪ ସନ୍ଦିଗ୍ଧଙ୍କୁ ପୁଲିସ ଗିରଫ କରିଛି। ପୁଲିସ ଏମାନଙ୍କ ଠାରୁ ଦଙ୍ଗାସୃଷ୍ଟି କଲାଭଳି ବିଭିନ୍ନ ପୁସ୍ତକ ଜାବତ କରିଛି। ହାଥରସ ପୀଡିତାଙ୍କୁ ନ୍ୟାୟ ଦେବାପାଇଁ ତିଆରି ହୋଇଥିବା ୱେବସାଇଟରେ ବିଭିନ୍ନ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା।

ପ୍ରକାଶ ଯେ, ସେପ୍ଟେମ୍ବର ୧୪ ତାରିଖରେ ହାଥରସ୍ ଜିଲ୍ଲାର ଚନ୍ଦପା ଅନ୍ତର୍ଗତ ବୁଲଗଢ଼ି ଗ୍ରାମରେ ଚାରିଜଣ ଲୋକ ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଯୁବତୀଙ୍କ ମେରୁଦଣ୍ଡ ହାଡ ଭାଙ୍ଗି ଦେବା ସହିତ ତାଙ୍କ ଜିଭ କାଟି ଦେଇଥିଲେ। ଦିଲ୍ଲୀରେ ଚିକିତ୍ସାଧୀନ ପୀଡ଼ିତାଜଣକ ସେପ୍ଟେମ୍ବର ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ। ପୁଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ମଧ୍ୟ ଦୁଷ୍କର୍ମ ଘଟଣାକୁ ଅସ୍ୱୀକାର କରିଛି। ୟୁପି ସରକାର ସମ୍ପୃକ୍ତ ଘଟଣାର ଏସ୍ଆଇଟି ଯାଞ୍ଚ କରୁଛନ୍ତି। ତା’ ସହିତ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ପୀଡ଼ିତଙ୍କ ମୃତଦେହକୁ ତରବରିଆ ଭାବେ ଜଳାଇଥିବାରୁ ହାଥ୍ରସ୍ ପୁଲିସ ଅଧୀକ୍ଷକଙ୍କ ସମେତ ୫ ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି।