କେନ୍ଦୁଝର,ଏନ୍ଏନ୍ଏସ୍: ଆନ୍ଦପୁରର “ମା ଧନେଇ ସେବା ସଂଘ’ ପକ୍ଷରୁ ୪ ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ତେବେ ଆନନ୍ଦପୁର ଓ ଚମ୍ପୁଆକୁ ରେଳ ସଂଯୋଗ, ଜିଲ୍ଲାରେ ବୃହତ ଇସ୍ପାତ କାରଖାନା, ରାସ୍ତା କାମ ନ ସରିବା ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୦ରେ ଟୋଲ ଆଦାୟ ବନ୍ଦ ଓ ଜାତୀୟ ରାଜପଥ ୨୦ର ବେଲବାହାଳି ପୋଲ ସମେତ ସମସ୍ତ ରାସ୍ତା କାମ ତୁରନ୍ତ ସମାପନ କରିବାକୁ ଦାବି ହୋଇଛି।
ଏନେଇ ମା ଧନେଇ ସେବା ସଂଘର ସଦସ୍ୟ/ସଦସ୍ୟା ମାନେ ଗାନ୍ଧୀ ଜୟନ୍ତୀ ଠାରୁ ଆନ୍ଦପୁରରୁ ପଦଯାତ୍ରାରେ ବାହାରି ସୋମବାର କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ କରିବା ସହିତ କାର୍ଯ୍ୟାଳୟ ଘେରାଉ କରିଛନ୍ତି। କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସମେତ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଏହି ଦାବିକୁ ସମର୍ଥନ କରାଯାଇଛି। ଏଥିସହିତ ୪ ଦଫା ବିଶିଷ୍ଟ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।