ପିପିଲି,ଏନ୍ଏନ୍ଏସ୍: ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଛି। ସେପ୍ଟେମ୍ବର ୧୪ ତାରିଖରେ ମହାରଥୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପୂର୍ବରୁ ସେ ଅନେକ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ଶନିବାର ରାତ୍ରି ୨ଟା ୩୬ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।
୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲାର ପିପିଲି ନିକଟସ୍ଥ ଖୋରାପଡ଼ା ଗାଁରେ ଜନ୍ମିତ ପ୍ରଦୀପ ମହାରଥୀ ନିଜର ନିଆରା କଥାବାର୍ତ୍ତା ଶୈଳୀ ପାଇଁ ପରିଚିତ। ସେ ଛାତ୍ର ଜୀବନରୁ ରାଜନୀତି ପ୍ରତି ସ୍ୱତନ୍ତ୍ର ରୁଚି ରଖିଥିଲେ। ୧୯୭୭ ମସିହାରେ ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ କଲେଜର ଛାତ୍ର ସଂସଦ ସଭାପତିର ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ ମସିହାରେ ପ୍ରଥମଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ।
୧୯୯୫ ମସିହାରେ ଗୋଟିଏ ଥର ନିର୍ବାଚନରେ ପରାଜିତ ହେବାପରେ ସେ ଆଉ ପରାଜୟର ମୁହଁ ଦେଖିନାହାନ୍ତି। ପିପିଲି ବିଧାନସଭା ଆସନରୁ ସେ ୨୦୦୦ ମସିହାରୁ ବିଜେଡି ଟିକେଟରେ କ୍ରମାଗତ ୫ମଥର ନିର୍ବାଚିତ ହୋଇଛନ୍ତି। ସେ ମୋଟ ୭ଥର ବିଧାୟକ ହୋଇଥିବାବେଳେ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସରକାରୀ ମୁଖ୍ୟ ସଚେତକ, ୨୦୧୧ରୁ ୨୦୧୨ ଜାନୁୟାରୀ ପର୍ଯ୍ୟନ୍ତ ୮ମାସ ପାଇଁ କୃଷି ମନ୍ତ୍ରୀ ହୋଇଥିଲେ।