ଭାରତରେ ପହଞ୍ଚିଲା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ‘ଏୟାର ଇଣ୍ଡିଆ ୱାନ୍’

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଭିଭିଆଇପି ବିମାନ ଅପେକ୍ଷାର ଆଜି ଅନ୍ତ ଘଟିଛି। ଏୟାର ଇଣ୍ଡିଆ ୱାନ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୁଇଟି ଭିଭିଆଇପି ଏୟାର ଇଣ୍ଡିଆ ୱାନ ବିମାନ ପ୍ରସ୍ତୁତ ହୋଇଥିବାବେଳେ ସେଥି ମଧ୍ୟରୁ ପ୍ରଥମଟି ଆଜି ଭାରତରେ ପହଞ୍ଚିଛି। ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ କିଣାଯାଇଥିବା ଦୁଇଟି ବୋଇଙ୍ଗ-୭୭୭ ବିମାନ ପ୍ରସ୍ତୁତ ଅଛି। ଭାରତକୁ ଏହି ଦୁଇଟି ନୂତନ ବିମାନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହେବ।

ଏହି ଏୟାର ଇଣ୍ଡିଆ ୱାନ୍ ବିମାନରେ ଆଡଭାନ୍ସ ଟେକ୍ନୋଲୋଜି ଓ ସୁରକ୍ଷା ବ୍ୟବସ୍ଥା ରହିଛି। ଯାହା ହ୍ୟାକ୍ କିମ୍ବା ଟ୍ୟାପ୍ ନ ହୋଇ ମଧ୍ୟ-ଏୟାର ଅଡିଓ ଏବଂ ଭିଡିଓ ଯୋଗାଯୋଗ କାର୍ଯ୍ୟ ହୋଇପାରିବ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂତନ ଡିଜାଇନ୍ ହୋଇଥିବା ଏହି ଭିଆଇପି ବିମାନ ଆମେରିକାରୁ ଆସିଛି। ଏହି ଉଭୟ ବିମାନକୁ ଭାରତୀୟ ବାୟୁସେନା ପାଇଲଟମାନେ ପରିଚାଳନା କରିବେ। ତେବେ ଏହି ଦୁଇଟି ନୂତନ ବିମାନର ରକ୍ଷଣାବେକ୍ଷଣ ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ୍ ଦ୍ୱାରା କରାଯିବ। ଏହି ଭିଆଇପି ବିମାନ ଜୁଲାଇରେ ଭାରତକୁ ଆସିବାକୁ ଥିବାବେଳେ କରୋନା ମହାମାରୀ ଯୋଗୁଁ ଏଥିରେ ବିଳମ୍ବ ହୋଇଥିଲା।