ଭାରତ-ଜାପାନ ନୌସେନାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ,ଏଜେନ୍ସି: ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌ର ଦାଦାଗିରି ବୃଦ୍ଧିପାଉଥିବାରୁ ଭାରତ-ଅଷ୍ଟ୍ରେଲିଆ-ଆମେରିକା ଓ ଜାପାନ ମଧ୍ୟରେ ଥିବା କ୍ୱାଡମେଣ୍ଟର ଗୁରୁତ୍ୱ ବଢିଯାଇଛି। ଚୀନ୍ ଆହ୍ୱାନର ମୁକାବିଲା ପାଇଁ ଏହି ଦେଶମାନେ ପରସ୍ପର ମଧ୍ୟରେ ସାମରିକ ସହଯୋଗକୁ ଆହୁରି ବଢାଇ ଦେଇଛନ୍ତି। କିଛିଦିନ ତଳେ ଭାରତ ଓ ଅଷ୍ଟ୍ରେଲିଆର ନୌସେନା ସମରାଭ୍ୟାସ କରିଥିବା ବେଳେ ଶନିବାରଠାରୁ ଭାରତ ଓ ଜାପାନ ମିଳିତ ନୌ-ସମରାଭ୍ୟାସ ଆରମ୍ଭ କରିଛନ୍ତି। ଆରବ ସାଗରରେ ଏହି ସମରାଭ୍ୟାସ ଚାଲିଛି।

ଏଥିରେ ଭାରତ ଓ ଜାପାନର ଯୁଦ୍ଧ ଜାହାଜ, ବୁଡ଼ାଜାହାଜ, ଡେଷ୍ଟ୍ରୟର ଆଦି ଅଂଶଗ୍ରହଣ କରିଛନ୍ତି। କିଛିମାସ ତଳେ ଭାରତ ଓ ଆମେରିକାର ନୌସେନା ମଧ୍ୟ ଭାରତ ମହାସାଗରରେ ସମାନ ପ୍ରକାରର ସମରାଭ୍ୟାସ କରିଥିଲେ। ଦକ୍ଷିଣଚୀନ୍ ସାଗରରୁ ଆମେରିକାର ୟୁଏସ୍‌ଏସ୍ ନିମିଜ୍ ଫେରିବା ବେଳେ ଭାରତୀୟ ନୌସେନା ସହ ସମରାଭ୍ୟାସ କରିଥିଲା। ଚୀନ୍‌ର ପ୍ରାଦୁର୍ଭାବ ପରିପ୍ରେକ୍ଷୀରେ ଏସବୁ ସମରାଭ୍ୟାସକୁ ଗୁରୁତ୍ୱ ଦିଆଯାଉଛି। ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଦେଙ୍କ ସହ କଥାବାର୍ତ୍ତା କରି ପାରସ୍ପରିକ ସହଯୋଗ ବଢାଇବା ଲାଗି ସହମତ ହୋଇଥିଲେ।

ଅବାଧ, ଖୋଲା ଓ ସମ୍ମିଳିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଆର୍ଥିକ ରୂପରେଖ ନମନୀୟ ଯୋଗାଣ ଶୃଙ୍ଖଳା ଉପରେ ଆଧାରିତ ହେବା ଦରକାର ବୋଲି ଦୁଇ ନେତା ଗୁରୁତ୍ୱ ଦେବା ସହ ଭାରତ, ଜାପାନ ଓ ଅନ୍ୟ ସମାନ ବିଚାରଧାରା ଥିବା ଦେଶଗୁଡିକୁ ସହଯୋଗ ପାଇଁ ଆମନ୍ତ୍ରଣ ଜଣାଇଥିଲେ।