ଚିକିତ୍ସାଧୀନ ଶ୍ରମିକଙ୍କ ମୃତ୍ୟୁ ପରେ ଅଞ୍ଚଳବାସୀଙ୍କ ଆନ୍ଦୋଳନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଇବ ଥର୍ମାଲ ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)ରେ ଗତ ୫ ତାରିଖ ହୋଇଥିବା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପି ଭଗବାନ ପାତ୍ର (୪୨) ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରାଣ ହରାଇଛନ୍ତି। ଏହାପରେ ସ୍ଥାନୀୟ ବାସିନ୍ଦାମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଓଜିପିସି ସମ୍ମୁଖରେ ଆନ୍ଦୋଳନ କରିଥିଲେ। ସେମାନେ ୨୦ଲକ୍ଷ କ୍ଷତିପୂରଣ, ପରିବାରର ଜଣଙ୍କୁ ଚାକିରି ତଥା ମୃତକଙ୍କ ପୁଅ ଝିଅଙ୍କ ପାଠପଢ଼ା ଖର୍ଚ୍ଚ କମ୍ପାନୀ ବହନ କରୁ ବୋଲି ଦାବି କରିଥିଲେ। ଘଟଣାସ୍ଥଳରେ ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେ, ବ୍ରଜରାଜନଗର ଏସଡିପିଏ ଦିଲ୍ଲୀପ ଦାସ, ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା, ବନହରପାଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମେହେର, ଓପିଜିସିର ମାନବ ସମ୍ବଳ ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ପାତ୍ର ଓ ମାନବ ସମ୍ବଳ ପ୍ରବନ୍ଧକ ଚିତ୍ତରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ। ଏଥିସହିତ ୭ ଲକ୍ଷ ୫୦ ହଜାର ଟଙ୍କାର ଶ୍ରମଜୀବୀ ଅନୁକମ୍ପା, ୨ଲକ୍ଷ ୫୦ ହଜାର ଟଙ୍କା ଇନସୁରାନ୍ସ, ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଓ ୫୦ ହଜାର ଟଙ୍କା ଶୁଦ୍ଧିକ୍ରିୟା ବାବଦରେ ପ୍ରଦାନ କରାଯିବ ବୋଲି ଓପିଜିସି କର୍ତୃପକ୍ଷ ପ୍ରତିଶୃତି ଦେଇଥିଲେ। କମ୍ପାନୀ କର୍ତୃପକ୍ଷଙ୍କ ପ୍ରତିଶୃତି ପରେ ଲୋକେ ଧାରଣାରୁ ଓହରିଥିଲେ।

ପ୍ରକାଶଯୋଗ୍ୟ ଯେ, ଗତ ୫ ତାରିଖ ରାତିରେ ଓପିଜିସି ୟୁନିଟ ୩ରୁ ଲିୟୁ ହପର ଖସି ଏଆରଏସ ଠିକା ସଂସ୍ଥାର ୩ଜଣ କର୍ମଚାରୀ ଆକାଶ ଖମାରୀ(୨୬), ହୃଷିକେଶ କର୍ତା, ପି ଭଗବାନ ପାତ୍ର(୪୨) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଓପିଜିସିର ନିଜସ୍ୱ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଲିୟୁ ହପରରୁ ୧୦୦ ଡିଗ୍ରୀରୁ ଅଧିକ ଉତ୍ତାପ ଥିବା ଗରମ ପାଉଁଶ ସେମାନଙ୍କ ଉପରେ ପଡ଼ିବାରୁ ଶରୀରର ଅଧିକାଂଶ ଭାଗ ପୋଡ଼ିଯାଇଥିଲା।