ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଯାଜପୁର ଗଲେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବନ୍ୟା କ୍ଷତିଗ୍ରସ୍ତ କ୍ଷେତ୍ର ପରିଦର୍ଶନ ପାଇଁ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ ଆଜି ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି। ବନ୍ୟ କ୍ଷୟକ୍ଷତି ଆକଳନ କରିବା ସହିତ ଚାଷୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ପରେ ସେଠାରୁ ପୁରୀ ଜିଲ୍ଲା ଗସ୍ତ କରିବେ। ବନ୍ୟ ଦ୍ୱାରା ଚାଷ ଜମିର କ୍ଷୟକ୍ଷତିର ଆକଳନ କରିବା ସହିତ ବିପନ୍ନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ନେବ ଟିମ। ସେଠାରୁ ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବଙ୍କ ସହିତ କ୍ଷୟକ୍ଷତି ନେଇ ଆଲୋଚନା କରିବେ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ୬ ଜଣିଆ ଟିମ ଓଡ଼ିଶା ଆସିଛି। ଟିମରେ କୃଷି ଓ କୃଷକ କଲ୍ୟାଣ, ଜଳ ସମ୍ପଦ, ଭୂପୃଷ୍ଠ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରାଳୟର ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ ଗତକାଲି କେନ୍ଦ୍ରୀୟ ଟିମ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିଲେ।