ଜିଲ୍ଲା କଂଗ୍ରେସର ବନ୍ୟାଞ୍ଚଳ ପରିଦର୍ଶନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ଆଜି ବନ୍ୟା ପ୍ରଭାବିତ ୧୯ଖଣ୍ଡ ମୌଜା ପରିଦର୍ଶନ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ଏହାସହ ବନ୍ୟାରେ ନଷ୍ଟ ହୋଇଥିବା ଫସଲ, ପନିପରିବା ତଥା ଘରଦ୍ୱାର ଆଦିର ଉଚିତ କ୍ଷତିପୂରଣ ଲୋକଙ୍କୁ ଶୀଘ୍ର ପ୍ରଦାନ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ସେହିପରି ଏହି ଅଞ୍ଚଳରେ ବନ୍ୟାଜଳ ଗାଁ ଭିତରକୁ ପଶିବା ପୂର୍ବରୁ କିପରି ରୋକାଯାଇ ପାରିବ ସେଥିପ୍ରତି ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସେମାନେ ଆହୁରି ମଧ୍ୟ କହିଛନ୍ତି ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ବହୁ ବିଳମ୍ବରେ ମିଳିଥାଏ। ଅନେକ ସମୟରେ ଆଶିଂକ କ୍ଷତି ସହିଥିବା ଲୋକେ ଏଥିରୁ ବଞ୍ଚିତ ମଧ୍ୟ ରୁହନ୍ତି। ତେଣୁ ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରାଗଲେ ଲୋକେ ଉପକୃତ ହୋଇପାରିବେ ବୋଲି କହିଛନ୍ତି। କଂଗ୍ରେସର ଏହି ପର୍ଯ୍ୟବେକ୍ଷକ ଦଳରେ ପ୍ରମୋଦ ପଣ୍ଡା, ଭରତ ଅଗସ୍ତି, ରୋହିତ କୁମାର ଧୁରୁଆ, ରୋହିତ ଖଡ଼ିଆ, ବିହାରୀ ନାୟକ, ପ୍ରଶାନ୍ତ ବିଶି, ଲିଙ୍ଗରାଜ ସା ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।