ରାୟଗଡ଼ା,ଏନ୍ଏନ୍ଏସ୍: କରୋନା ଲାଗି ରେଳ ଚଳାଚଳ ବନ୍ଦ ହେବାପରେ ଏବେ ନୂଆ ତରିକା ଅପଣାଇଛନ୍ତି ଗଞ୍ଜେଇ ମାଫିଆ। ତେଲ ଟ୍ୟାଙ୍କରରେ ଗଞ୍ଜେଇ ବୋଝେଇ କରି ଚାଲାଣ କରୁଥିବା ବେଳେ ଆଜି ରାୟଗଡ଼ାରେ ଧରିଛି ପରିବହନ ବିଭାଗ। ପୁଲିସକୁ ଟ୍ୟାଙ୍କର ହସ୍ତାନ୍ତର ପରେ ଆରମ୍ଭ ହୋଇଛି ତଦନ୍ତ। ଘଟଣାରେ ପୁଲିସ ଟ୍ୟାଙ୍କର ଡ୍ରାଇଭର ରାମ କୁମାରଙ୍କୁ ମଧ୍ୟ ଅଟକ ରଖିଛି। ସୂଚନା ଅନୁସାରେ ଏହି ତେଲ ଟ୍ୟାଙ୍କରଟି ଶନିବାର ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଯାଉଥିଲା।
ରାୟଗଡ଼ା ଜଗନ୍ନାଥପୁର ନିକଟରେ ପରିବହନ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ଆରଟିଓ କର୍ତ୍ତୃପକ୍ଷ ଟ୍ୟାଙ୍କରକୁ ଅଟକାଇ ଗାଡ଼ି କାଗଜପତ୍ର ମାଗିଥିଲେ। କିନ୍ତୁ ଡ୍ରାଇଭର ରାଜ କୁମାର କାଗଜପତ୍ର ନ ଦେଖାଇବାରୁ ଟ୍ୟାଙ୍କର(ଏନଏଲ-୦୩ଏ-୫୬୯୫) ଆରଟିଓ କର୍ମଚାରୀ ଅଟକ ରଖିଥିଲେ। ଆଜି ସକାଳୁ ଟ୍ୟାଙ୍କର ଭିତରୁ ଗଞ୍ଜେଇ ବାସ୍ନା ହେବା ପରେ ଆରଟିଓ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆରଟିଓ ଅଫିସରେ ଛାନଭିନ କରିବା ପରେ ସନ୍ଧ୍ୟାରେ ଟ୍ୟାଙ୍କର ସହ ଡ୍ରାଇଭରକୁ ଥାନାକୁ ନେଇଛି।
ତେବେ ଟ୍ୟାଙ୍କର ଭିତରେ କେତେ ଗଞ୍ଜେଇ ଅଛି ତାହା ଜଣାପଡିନାହିଁ। ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଟ୍ୟାଙ୍କରରୁ ବାହାର କରାଯିବ ବୋଲି ପୁଲିସ କହିଛି। ଡ୍ରାଇଭର ରାଜର କହିବା ମୁତାବକ ଟ୍ୟାଙ୍କରକୁ ବିଜୟୱାଡ଼ାରେ କିଛି ବ୍ୟକ୍ତି ଅଟକାଇ ପାର୍ସଲ ଗୁଡିକ ବିହାରରୁ ପାଟନା ନେବା ପାଇଁ କହିଥିଲେ। ଏଥିପାଇଁ ପାଇଁ ଉକ୍ତ ବ୍ୟକ୍ତିମାନେ ଡ୍ରାଇଭର ରାଜକୁ ୧୦ ହଜାର ଟଙ୍କା ଦେଇଥିଲେ। ତେବେ ପାର୍ସଲ ଭିତରେ କ’ଣ ଅଛି ସେ ନେଇ ଡ୍ରାଇଭର ଜାଣିନଥିବା ପୁଲିସକୁ କହିଛି। ଏହି ଘଟଣାରେ ପୁଲିସ ଗାଡିର ଡ୍ରାଇଭର ରାମ କୁମାରକୁ ଅଟକ ରଖି ପଚରାଉଚୁରା କରୁଛି।