କରୋନାରୁ ମୁକ୍ତି ପାଇବା ପରେ କ’ଣ କରିବେ ? ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରୋଟୋକଲ ଜାରି

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧିପାଉଛି। ଇତି ମଧ୍ୟରେ ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱରେ ୨ ନମ୍ବର ସ୍ଥାନରେ ପହଞ୍ଚିଛି । ତେବେ ଆରୋଗ୍ୟହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେଉଥିବା ଲୋକଙ୍କ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରୋଟୋକଲ ଜାରି କରାଯାଇଛି। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନେଇ ଅନେକ ଟିପ୍ସ ଦିଆଯାଇଛି। ମାସ୍କ ପିନ୍ଧିବାକୁ, ହାତ ସଫା ରଖିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ପର୍ଯ୍ୟାପ୍ତ ପରିମାଣର ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ଆୟୁଷ ଔଷଧ ଡାକ୍ତରଙ୍କ ପରାମର୍ଶ ମୁତାବକ ବ୍ୟବହାର କରିବାକୁ କୁହାଯାଇଛି। ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ୱାସକ୍ରିୟା ବ୍ୟାୟାମ କରିବା, ପ୍ରତିଦିନ ସକାଳେ କିମ୍ବା ସଂଧ୍ୟାରେ ଚାଲିବାକୁ ଏବଂ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ଗାଢ ନିଦ୍ରା ଓ ବିଶ୍ରାମ ଆବଶ୍ୟକ। ଧୂମପାନ ଏବଂ ମଦ୍ୟପାନରୁ ଦୂରେଇ ରହିବାକୁ ହେବ। ସୁସ୍ଥ ହୋଇ ସାରିଥିବା କରୋନା ରୋଗୀ ନିଜ ସକାରତ୍ମକ ଅଭିଜ୍ଞତା ବିଷୟରେ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କୁ ଜଣାଇବାକୁ କୁହାଯାଇଛି। ପୁନରୁଦ୍ଧାର ଏବଂ ପୁନର୍ବାସ ପ୍ରକ୍ରିୟା ପାଇଁ ଗୋଷ୍ଠୀଭିତ୍ତିକ ସ୍ୱୟଂ ସହାୟକ ଗୋଷ୍ଠୀ, ନାଗରିକ ସମାଜ ସଙ୍ଗଠନ ଏବଂ ଯୋଗ୍ୟ ବୃତ୍ତିଧାରୀଙ୍କ ସହଯୋଗ ନେବାକୁ ପଡିବ। ଯଦି ଆବଶ୍ୟକ ହୁଏ ମାନସିକ ସ୍ୱାସ୍ଥ୍ୟ ସହାୟତା ସେବା ନିଅନ୍ତୁ। ଶାରୀରିକ ଦୂରତା ପରି ସମସ୍ତ ସତର୍କତା ଅବଲମ୍ବନ କରି ଯୋଗ, ଧ୍ୟାନ ଇତ୍ୟାଦି ଗୋଷ୍ଠୀ ଅଧିବେଶନରେ ଅଂଶଗ୍ରହଣ କରିବାକୁ ହେବ। ଯେଉଁଠି କରୋନା ପାଇଁ ଚିକିତ୍ସିତ ହେଉଥିବେ, ସେଠାରୁ ଡିସଚାର୍ଜ ହେବା ପରେ ୭ ଦିନ ମଧ୍ୟରେ ପ୍ରତ୍ୟେକ୍ଷ କିମ୍ବା ଟେଲିଫୋନ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନିଆଯାଇପାରିବ ବୋଲି ଏହି ପ୍ରୋଟୋକଲରେ ପରାମର୍ଶ ଦିଆଯାଇଛି।