ବାରିପଦା,ଏନ୍ଏନ୍ଏସ୍: କୋଭିଡ କଟକଣା ମଧ୍ୟରେ ଆଜି ସାରା ଦେଶରେ ମେଡ଼ିକାଲ ଏଣ୍ଟ୍ରାନ୍ସ ପରୀକ୍ଷା ଏନଇଇଟି ଅନୁଷ୍ଠିତ ହେଉଛି। ତେବେ ଏହି ମେଡ଼ିକାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ ସଫଳତା ହୋଇନପାରିବା ସନ୍ଦେହରେ ଆଜି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ବୁଢ଼ୀଖମାରୀ ସାହିରେ। ମୃତକ ଜଣଙ୍କ ହେଉଛନ୍ତି ଉପାସନା ସାହୁ।
ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିବାବେଳେ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ନେଇଥିଲେ। ହେଲେ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ ହୋଇଛି। ଏହି ନୋଟ ଅନୁସାରେ ମେଡ଼ିକାଲ ଏଣ୍ଟ୍ରାନ୍ସକୁ ନେଇ ଉପାସନା ଚାପଗ୍ରସ୍ତ ଥିବା ଉଲ୍ଲେଖ ରହିଛି।
ଗତ ୨ ବର୍ଷ ଧରି କୋଟା ସହରରେ ମେଡ଼ିକାଲ କୋଚିଂ ନେଉଥିଲେ ଉପାସନା। ମାତ୍ର ପୂର୍ବବର୍ଷ ପରୀକ୍ଷାରେ ଖରାପ ହୋଇଥିବାବେଳେ ଏଥର କରୋନା ଯୋଗୁଁ ନିଜ ଘରେ ରହି ମେଡ଼ିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ। ସେହିପରି ଏହି ଘଟଣାରେ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।